ଭୁବନେଶ୍ବର: ମହାମାରୀ ସମୟରେ ପରୀକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ନେଇ ସିଲାବସ ଏକାଡେମିକ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇରେ ହ୍ରାସ ହେବ ସିଲାବସ । ଏ ବର୍ଷ ୩୦ ପ୍ରତିଶତ ସିଲାବସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ।
ମହାମାରୀ ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ । ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷରେ ହେବ ଟର୍ମିନାଲ ପରୀକ୍ଷା । ପ୍ରଥମ ବର୍ଷରେ ୩ଟି ଟର୍ମିନାଲ ଓ ଗୋଟିଏ ଫାଇନାଲ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ଦ୍ବିତୀୟ ବର୍ଷରେ ୩ଟି ଟର୍ମିନାଲ ପରୀକ୍ଷା ସହ ଫାଇନାଲ ପରୀକ୍ଷା କରାଯିବ ।
ପ୍ରତି କ୍ବାର୍ଟରରେ ୩୦ ନମ୍ବର ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ମାର୍କ ରହିବ । ପ୍ରଥମ ବର୍ଷ ଶେଷରେ ଓ ଦ୍ବିତୀୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ । ମହାମାରୀ ସ୍ଥିତି ନ ଉପୁଜିଲେ ବାର୍ଷିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ । ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଟର୍ମିନାଲ ପରୀକ୍ଷା ଭିତ୍ତିରେ ରେଜଲ୍ଟ ପ୍ରକାଶ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ସୂଚନା ଦେଇଛନ୍ତି ।
ସିଲାବସ ଏକାଡେମିକ କମିଟିର ଏହି ବୈଠକରେ କମିଟିର ଅଧ୍ୟକ୍ଷ, ଉଚ୍ଚ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ, ପରିଷଦର ସଚିବ ଆଦି ଯୋଗ ଦେଇଥିଲେ । ଏହାର ପରିଚାଳନା କରିଥିଲେ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ । ବୈଠକରେ ପରୀକ୍ଷା ପରିଚାଳନା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ପିଲାମାନଙ୍କ ଉପରେ ଏହି ସମୟରେ ଚାପ କମାଇବା ପାଇଁ ପରୀକ୍ଷା ବ୍ୟବସ୍ଥା ସହଜ କରିବାକୁ ସୁପାରିଶ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ