ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଛି 3 ବର୍ଷ । 2019 ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଲଗାତାର ପଞ୍ଚମଥର ପାଇଁ ଆଜିର ଦିନରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ଓ ତାଙ୍କ ଟିମ । ଦୀର୍ଘ ଦୁଇଶନ୍ଧୀରରୁ ଅଧିକ ସମୟ ଧରି ଓଡିଶାକୁ ଶାସନ କରୁଛି ବିଜୁ ଜନତା ଦଳ । ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ବିକାଶ ସହ ଅନେକ ସଂସ୍କାର ମୂଳକ ପଦକ୍ଷେପ ଜାରି ରଖିଛନ୍ତି । ସରକାର ଶପଥ ଗ୍ରହଣ ଉତ୍ସବ ପାରମ୍ପରିକ ଭାବେ ରାଜଭବନ ପରିବର୍ତ୍ତେ ପ୍ରଥମ ଥର ପାଇଁ 29 ମେ’ 2019 ରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ କରି ନବୀନ ଆରମ୍ଭରୁ ଏକ ସ୍ପଷ୍ଟ ସଂକେତ ଦେଲେ ।
ଏହାପରେ ଆରମ୍ଭ ହେଲା ନବୀନଙ୍କ ବହୁଳ ପ୍ରଚାରିତ ମୋ ସରକାର । ଏହାରି ମାଧ୍ୟମରେ ଶାସନ ଓ ସେବାକୁ ଅଧିକ ଉତ୍ତରଦାୟିତ୍ବ କରିବାକୁ ନବୀନ ଯୋଜନା କଲେ । ପରେ ପରେ ଚର୍ଚ୍ଚିତ 5ଟି କାର୍ଯ୍ୟକ୍ରମ ଆରମ୍ଭ କରି ବିକାଶ ଗାଡିକୁ ଦ୍ରୁତ କରିବା ସହ ଶାସନରେ ସ୍ବଚ୍ଛତା ଆଣିବା ପାଇଁ ଉଦ୍ୟମ କଲେ । ଏହା ପରେ ପରେ ଯୋଜନା ପରେ ଯୋଜନା ଆରମ୍ଭ କରି ନବୀନ ରାଜ୍ୟର ପୂର୍ଣ୍ଣାଙ୍ଗ ବିକାଶ କରୁଥିବା କହୁଛନ୍ତି । ହେଲେ ଯୋଜନା କେତେ ଫଳପ୍ରଦ ହେଉଛି, କେତେ ଲୋକ ଲାଭାନ୍ବିତ ହେଉଛନ୍ତି ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ପଞ୍ଚମ ପାଳିରେ ଅନ୍ୟ ପାଳି ଅପେକ୍ଷା ନବୀନ ଅଧିକ ସଂସ୍କାର ମୂଳକ କାର୍ଯ୍ୟକ୍ରମ କରିବାକୁ ଉଦ୍ୟମ କରିଛନ୍ତି ।
ପଞ୍ଚମ ପାଳିରେ ସରକାର କରୋନା ମହାମାରୀ ଓ ବାତ୍ୟା ଭଳି ବିପର୍ଯ୍ୟୟର ସାମନା କରିଛନ୍ତି । ଏସବୁ ଭିତରେ ନବୀନ ଗୋଟିଏ ପରେ ଗୋଟିଏ ଯୋଜନା ସହ ସଂସ୍କାର ମୂଳକ ପଦକ୍ଷେପ ନେଇଚାଲିଛନ୍ତି ।
ଦୁର୍ନୀତି ବିରୋଧରେ କୋଠର ଆଭିମୁଖ୍ୟ
ଦୁର୍ନୀତି ବିରୋଧରେ ନବୀନ ନେଇଛନ୍ତି ଜିରୋ ଟଲେରାନ୍ସ ନୀତି । ପାଖାପାଖି ଦୁଇଶହରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି, ଏହାସହ ଏକାଧିକ ଅଧିକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରିଛନ୍ତି । ଖାଲି ଅଧିକାରୀ ନୁହଁନ୍ତି ଦଳୀୟ ନେତା ବିଧାୟକଙ୍କ ବିରୋଧରେ ମଧ୍ୟ ଆପଣାଇଛନ୍ତି ସମାନ ନୀତି ।
ବିପର୍ଯ୍ୟୟ ମୁକାବିଲାରେ ମଡେଲ
ଓଡିଶା ପ୍ରତି ବର୍ଷ କିଛି ନା କିଛି ବିପର୍ଯ୍ୟୟର ସାମନା କରୁଛି । ଏହାର ସଠିକ ମୁକାବିଲା ପାଇଁ ନବୀନ କୌଣସି ସୁଯୋଗ ଛାଡି ନାହାଁନ୍ତି । ଯାହା ଫଳରେ ନବୀନଙ୍କୁ ବିଶ୍ବ ଦରବାରରୁ ମିଳିଛି ପ୍ରଶଂସା । ବିଶେଷ କରି ବାତ୍ୟା ମୁକାବିଲାରେ ଓଡିଶା ଏବେ ଏକ ମଡେଲ ବୋଲି ସରକାର ପ୍ରଚାର କରୁଛନ୍ତି । ଯଦିଓ ବାତ୍ୟା ମୁକାବିଲାରେ ଲୋକଙ୍କ ସ୍ଥାନାନ୍ତର ହେବାକୁ ପଡୁଛି, ସଠିକ କ୍ଷୟକ୍ଷତି ମିଳୁନାହିଁ । ତଥାପି ବିପର୍ଯ୍ୟୟ ମୁକାବିଲାରେ ଓଡିଶା ମଡେଲ ହୋଇପାରିଥିବା ସରକାର ଦାବି କରୁଛନ୍ତି ।
ପୁରୀକୁ ବିଶ୍ବ ଐତିହ୍ୟ ସହରର ପାଇଁ ସଂକଳ୍ପ
ନବୀନ ସରକାରଙ୍କ ପଞ୍ଚମ ପାଳିର ସବୁଠାରୁ ଚର୍ଚ୍ଚିତ ଓ ଗୁରୁତ୍ବପୂର୍ଣ୍ଣ ହେଉଛି ଧାର୍ମିକ ସ୍ଥଳର ଉନ୍ନତି କରଣ । ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରି ଗଢି ତୋଳିବା ପାଇଁ ନେଇଛନ୍ତି ଅନେକ ପଦକ୍ଷେପ । ପ୍ରସ୍ତୁତ ହୋଇଛି ରୂପରେଖ । ଘୋଷଣା ହୋଇଛି ହଜାର ହଜାର କୋଟି ଟଙ୍କା । ଖାଲି ପୁରୀ ନୁହେଁ ନିଜ ପଞ୍ଚମ ପାଳିରେ ନବୀନ ଏକାମ୍ର ଯୋଜନାରରେ ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ, କଟକ ଚଣ୍ଡୀ ମନ୍ଦିର, ବିରଜା, ଶାରଳାପୀଠ, ହରିଶଙ୍କର ସମେତ ରାଜ୍ୟର ସମସ୍ତ ପ୍ରମୁଖ ଧାର୍ମିକ ସ୍ଥଳୀର ରୂପରେଖ ଓ ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି କାମ ଆରମ୍ଭ କରିଛନ୍ତି ।
ସ୍କୁଲ ରୂପାନ୍ତୀକରଣ
ନିଜ ପଞ୍ଚମ ପାଳିରେ ନବୀନ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ପୁରା ପରିବର୍ତ୍ତନ ସହ ଉନ୍ନତ ଭିତ୍ତିଭୂମି ଓ ପୁରା ଘରୋଇ ସ୍କୁଲ ପରି ପରିବର୍ତ୍ତନ କରିଛନ୍ତି । ଶିକ୍ଷାଦାନ ପାଇଁ ଆବଶ୍ୟକ ସରଞ୍ଜାମ, ଭିତ୍ତିଭୂମି ସହ ପୁରା ସ୍କୁଲକୁ ନୂଆ ରୂପ ଦିଆଯାଉଛି ।
ସ୍ବାସ୍ଥ୍ୟ ସେବା ପାଇଁ ମେଗା ଯୋଜନା
ନବୀନ ପଞ୍ଚମ ପାଳିରେ ପୁରା ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ । ରାଜ୍ୟର ପ୍ରାୟ 96 ଲକ୍ଷ ପରିବାରକୁ ଯୋଗାଇ ଦେଲେ ସ୍ମାର୍ଟ କାର୍ଡ । ଦେଶର 200 ଟି ସରକାରୀ ଘରୋଇ ମେଡିକାଲରେ ବିନା ଦେୟରେ ରାଜ୍ୟବାସୀ ଚିକିତ୍ସା ସେବା ପାଇବେ ବୋଲି ଘୋଷଣା କଲେ । ଯଦିଓ ଯୋଜନାର କାର୍ଯ୍ୟକାରୀତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତଥାପି ନବୀନଙ୍କ ପଞ୍ଚମ ପାଳିର ଏହା ଏକ ବଡ ପଦକ୍ଷେପ ।