ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ'ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର 24ଟି ଜିଲ୍ଲାରେ 1,146 ବିଦ୍ୟାଳୟ ପାଇଁ 15କୋଟି 18ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସେହିପରି ଗତ 1ମାସ ମଧ୍ୟରେ 14 ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ବିଦ୍ୟାଳୟର ବିକାଶ ପାଇଁ 5 କୋଟି 62 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ ମୋଟ 15 କୋଟି 18 ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି ।
ବାଲେଶ୍ୱରରେ ସର୍ବାଧିକ 1 କୋଟି 14 ଲକ୍ଷ, ସୋନପୁରରେ 55 ଲକ୍ଷ 98 ହଜାର, କଟକରେ 32 ଲକ୍ଷ 16 ହଜାର, ଯାଜପୁରରେ 30 ଲକ୍ଷ 41 ହଜାର ଏବଂ ମୟୂରଭଞ୍ଜରେ 20 ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଥିବା ଜଣାପଡିଛି । ଏବେ ସୁଦ୍ଧା ମୋଟ 6,16,928 ଜଣ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତି । ସେହିଭଳି ବିଭିନ୍ନ CSR ପାଣ୍ଠିରୁ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଅଭିଯାନ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 333.4 କୋଟି ଟଙ୍କାର ଅନୁଦାନ ମିଳିଛି ।
5ଟି ହାଇସ୍କୁଲ ଟ୍ରାନ୍ସଫରମେଶନ୍ କାର୍ଯ୍ୟକ୍ରମ’ର ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରାୟ 2,222 ହାଇସ୍କୁଲକୁ ଏହି ଅର୍ଥ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନ ମିଶାଇ ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଛି ।
ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟ ଗୁଡ଼ିକୁ ନିର୍ଦେଶ ଦିଆଯାଇଛି । କାର୍ଯ୍ୟରେ ସ୍ଵଚ୍ଛତା ବଜାୟ ରଖିବାକୁ ଫଲ୍ଟ ମନିଟରିଂ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲସ୍ତରରେ "ମୋ ସ୍କୁଲ ପ୍ରକଳ୍ପର ଅଡିଟ୍ କାର୍ଯ୍ୟକୁ ଜୋରଦାର କରିବାକୁ ସ୍ଵତନ୍ତ୍ର ଅଡିଟ୍ ଟିମ୍ ପଠାଇବାକୁ ସ୍ଥିର ହୋଇଛି । ଏହା ବ୍ୟତୀତ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତି ନିଆଯାଇଛି ।
ଆସନ୍ତା ନଭେମ୍ବର 14 ତାରିଖରୁ ବଳକା 3975 ସ୍ଥାନରେ ‘ଲର୍ଣ୍ଣିଂ କ୍ୟାମ୍ପ” ଆରମ୍ଭ ହେବାକୁ ଥିବାବେଳେ ବହୁସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସ୍ଵେଚ୍ଛାକୃତ ଭାବରେ ଏଥିରେ ଯୋଡ଼ିହୋଇ କୁନିକୁନି ପିଲାଙ୍କର ଗଣିତ ଓ ଭାଷାସାହିତ୍ୟ ଉପରେ ଶିକ୍ଷାଦାନ କରୁଛନ୍ତି । ଆସନ୍ତା 3 ବର୍ଷ ମଧ୍ୟରେ 4 ହଜାର ହାଇସ୍କୁଲ୍ର 21 ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ 16 ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରିବାକୁ "ମୋ ସ୍କୁଲ’ ଏହି ‘କ୍ୱେଷ୍ଟ ଆଲିଆନ୍ସ’ ମଧ୍ୟରେ MOU ସ୍ଵାକ୍ଷର ହୋଇଛି । ଏହା ଅଧୀନରେ ଶିକ୍ଷକଙ୍କୁ ନଭେମ୍ବର ପ୍ରଥମ ସପ୍ତାହରୁ 1072 ସ୍କୁଲର 2ଜଣ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ