ଭୁବନେଶ୍ବର: ମହାମାରୀ କୋରୋନା ଆତଙ୍କ ମଧ୍ୟରେ ଜୀବନ ନେଉଛି ବ୍ଲାକ ଫଙ୍ଗସ୍ । କୋରୋନା ସଂକ୍ରମଣରୁ ସୁସ୍ଥ ହେବାପରେ କିଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଶିକାର ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଜଣ ଆକ୍ରାନ୍ତ ବ୍ଲାକ୍ ଫଙ୍ଗସ୍ରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୨୧୨ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
୨୧୨ ଜଣ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ରାଜ୍ୟରେ କୋରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ମୋଟ ବ୍ଲାକ ଫଙ୍ଗସ୍ ଶିକାର ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରକୁ ୧୦୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ମେ' ମାସରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଦେଖୁଦେଖୁ ଜୁଲାଇ ମାସ ସୁଦ୍ଧା ୧୩୦ ଜଣ ବ୍ଲାକ ଫଙ୍ଗସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସେପଟେ ପୂର୍ବରୁ ବ୍ଲାକ ଫଙ୍ଗସ୍ ସ୍ଥିତି ରାଜ୍ୟରେ ନିୟନ୍ତ୍ରଣାଧିନ ରହିଥିବା କଥା କହିଥଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି ବୋଲି ସେ କହିଥିଲେ । ତେବେ ବର୍ତ୍ତମାନର ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ନିଶ୍ଚିତ ଭାବରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ