ଭୁବନେଶ୍ବର: ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଚିନ୍ତାରେ ପରୀକ୍ଷାର୍ଥୀ । ଗତକାଲି(ସୋମବାର) ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଏବେ ଦ୍ଵନ୍ଦ୍ବରେ ଛାତ୍ରଛାତ୍ରୀ । ସରିନି ସିଲାବସ । ବର୍ଷ ତମାମ ଅନ ଲାଇନ ମାଧ୍ୟମରେ ପାଠ ପଢ଼ା ହେଉଛି ହେଲେ ବୁଝି ହେଉନି ଅନଲାଇନର ସବୁ ପାଠ । ଏଣୁ ପ୍ରଥମେ ଅଫଲାଇନ କ୍ଲାସ କରି ପରେ ସେହି ଅଫଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।
ପୂର୍ବ ବର୍ଷ ଭଳି 70 ପ୍ରତିଶତ ସିଲାବସ୍ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବରୁ ସମେଟିଭ ପରୀକ୍ଷା ମଧ୍ୟ ସରିଛି। ଜାନୁୟାରୀ ମାସ ଶେଷ ସୁଦ୍ଧା ସବୁ ସିଲାବସ ସରିନାହିଁ ତା' ଭିତରେ ବି ଅନେକ ଡାଉଟ ରହିଛି । ଏଣୁ କିଛି ଦିନ ଅଫଲାଇନ ମାଧ୍ୟମରେ କ୍ଲାସ କରାଯାଇ ପରବର୍ତ୍ତୀ ସମୟରେ ପରୀକ୍ଷା କରିବାକୁ କହିଛନ୍ତି ଅନେକ ମେଧାବୀ ଛାତ୍ରଛାତ୍ରୀ । ଦଶମ ଓ ଦ୍ଵାଦଶ ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ବିଦ୍ୟାଳୟମାନଙ୍କରେ ଏବେ ବି ଅନଲାଇନ କ୍ଲାସ ଚାଲିଛି ।
କିନ୍ତୁ ଏହି ଅନଲାଇନ ଶିକ୍ଷା ଶତ ପ୍ରତିଶତ ପିଲାଙ୍କ ପାଖେ ପହଞ୍ଚି ପାରୁନାହିଁ। ସମସ୍ତ ଛାତ୍ରଛାତ୍ରୀ ସଠିକ୍ ଭାବେ ସବୁ ବିଷୟ ବୁଝିପାରୁ ନାହାଁନ୍ତି ବୋଲି କହିଛନ୍ତି ସରକାରୀ ବାଳକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ପଣ୍ଡା । ଆଗକୁ କୋରୋନା ସଂକ୍ରମଣ ଯଦି ବଢେ ତେବେ ଦଶମ ଶ୍ରେଣୀର ହୋଇଥିବା ସମେଟିଭ ପରୀକ୍ଷାର ମାର୍କ ଅନୁସାରେ ବୋର୍ଡ ପରୀକ୍ଷାର ନୀତି ନିର୍ଦ୍ଧାରଣ ଏକ ବିକଳ୍ପ ହୋଇପାରେ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ: 10TH-12th EXAM: ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ
ସେପଟେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସେମାନଙ୍କ ବର୍ଷକର କୋର୍ସକୁ ୩ ମାସରେ ସାରିବା ପାଇଁ ସରକାର ନିୟମ କରିଛନ୍ତି, ଯାହାକି ଅସମ୍ଭବ। କେବଳ କୋର୍ସ ସାରିବା ପାଇଁ ପାଠ ପଢ଼ାଯାଉଛନ୍ତି । କିନ୍ତୁ ପିଲମାନେ ପାଠପଢା ବୁଝି ପାରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବୋର୍ଡ ପରୀକ୍ଷାର ମାର୍କ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ଏବେ ପର୍ଯ୍ୟନ୍ତ ଯୁକ୍ତ ଦୁଇ କୋର୍ସ ସରିନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ସେପଟେ ସଠିକ ଭାବେ ଅନଲାଇନ କ୍ଲାସ ଯେଉଁମାନେ କରିପାରି ନାହଁନ୍ତି ସେମାନେ କିଭଳି ପରୀକ୍ଷା ଦେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଉପାନ୍ତ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ବର ଯାଏଁ ସବୁଠି ଛାତ୍ରଛାତ୍ରୀଙ୍କର ଅନଲାଇନ ପାଠପଢ଼ାରେ ସମସ୍ୟା ରହିଛି । ଯୁକ୍ତ ଦୁଇରେ ମଧ୍ୟ କ୍ବାଟର ପରୀକ୍ଷା ହିସାବରେ ମାର୍କ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଅନୁରାଧ କରିଛନ୍ତି । ନଚେତ ଅଫଲାଇନ କ୍ଲାସ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ