ଭୁବନେଶ୍ବର: ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କୋରୋନା ମହାମାରୀର ଦ୍ବିତୀୟ ଲହର । ଲଗାତାର ଭାବେ ଉପରମୁହାଁ ହୋଇଚାଲିଛି କୋରୋନା ଗ୍ରାଫ । ଦୈନିକ ଭାବେ ସଂକ୍ରମିତଙ୍କ ସଂଖ୍ୟା ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଏବେ କୋରୋନା କବଳରେ ଛଟପଟ । ବିଭିନ୍ନ କାରଣରୁ ଅକାଳରେ ହରାଉଛନ୍ତି ଜୀବନ । ରିପୋର୍ଟ ଅନୁସାରେ ଗତ ସପ୍ତାହରେ 14 ଓଡିଆ କୋରୋନାରେ ପ୍ରାଣ ହରାଇଛନ୍ତି ।
ସହରରେ କୋରୋନା ସଂକ୍ରମଣ ବଢିବା ସହ ଓଡିଆ ସମାଜ ଲୋକ ପୁଣି ଆତଙ୍କିତ ହୋଇପଡିଲେଣି । ଟେକ୍ସଟାଇଲ ଇଣ୍ଡଷ୍ଟ୍ରିଜରେ କାମ କରୁଥିବା ବେଳେ ସାମାଜିତ ଦୂରତ୍ବ ବଜାୟ ରହୁନଥିବାରୁ ମାଡିବାରେ ଲାଗିଛି ସଂକ୍ରମଣ । ବହୁ ସଂଖ୍ୟକ ପଜେଟିଭ ମାମଲା ସାମ୍ନାକୁ ଆସିଛି । ଫଳରେ ଲୋକଙ୍କ ମଧ୍ୟରେ ଭୟ ବଢିଚାଲିଛି । ସୁରତର ସିଭିଲ ହସ୍ପିଟାଲରେ ଚିକିତ୍ସା ହେଉଥିବା 57 ବର୍ଷୀୟ ମହିଳା ଭାଗ୍ୟଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି । ହେଲେ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି କି ହସ୍ପିଟାଲ ପକ୍ଷରୁ ସେମାନଙ୍କ ସମ୍ପର୍କ କରାଯାଇନି । କୋରୋନା ଗାଇଡଲାଇନ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
ଆଉ ଏସବୁ ଭୟାବହ ବାତାବରଣ ଭିତରେ ଓଡିଆ ସମାଜ ପକ୍ଷରୁ ନିଜ ନିଜ ସ୍ଥାନରେ କୋରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ସୁରତ ଓଡିଆ ସମାଜ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ରାଉତ କହିଛନ୍ତି କି 7ରୁ 8 ଲକ୍ଷ ଓଡିଆ ସୁରତରେ ରହି ଜୀବିକା ନିର୍ବାହ କରୁଛନ୍ତି । ଆଉ ସେଥିରୁ 20 ପ୍ରତିଶତ ଲୋକ କେବଳ 45 ବର୍ଷରୁ ଉର୍ଦ୍ଧ୍ବ ବୟସର । ଆଉ ବାକି ଯୁବଗୋଷ୍ଠୀ ଅଛନ୍ତି । ଯେହେତୁ ସେମାନେଙ୍କୁ ଟିକା ନେବାକୁ ଅନୁମତି ମିଳିପାରିନି, ସେଥିପାଇଁ ବହୁ ସଂଖ୍ୟକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳୁଛି । ଏଣୁ ସେମାନଙ୍କ ଟିକାକରଣ ଶୀଘ୍ର କରିବାକୁ ସେ ପ୍ରଶାସନକୁ ଅପିଲ କରିଛନ୍ତି ।
ତାଲାବନ୍ଦରେ ଜୀବିକା ହରାଇ ଭିଟାମାଟି ଫେରିଥିବା ପ୍ରବାସୀ ଓଡିଆ ପୁଣି ନିଯୁକ୍ତି ସନ୍ଧାନରେ ସୁରତ ଯାଇଛନ୍ତି । ହେଲେ ସଚେତନ ଅଭାବ ଓ ସତର୍କ ହେଉନଥିବାରୁ ସେମାନଙ୍କ ଜୀବନ ଏବେ ରେଡ ଆଲର୍ଟରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ