ଭୁବନେଶ୍ବର: ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ନିଲାମ ହେବାକୁ ଯାଉଛି 67ଟି କୋଇଲା ଖଣି । ଏଥିମଧ୍ୟରୁ ଓଡିଶାର 14ଟି ଖଣି ସାମିଲ ରହିଛି ।
କେନ୍ଦ୍ର ସରକାର ଗୁରୁବାର 67ଟି କୋଇଲା ଖଣି ବିକ୍ରୟ ପାଇଁ ଅଫର ଦେଇ ବାଣିଜ୍ୟିକ କୋଇଲା ଖଣିର ଦ୍ବିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି ସରକାର ।
2014ରେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଖଣି। କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କୋଇଲା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗ ସିଇଓ ଅମିତାଭ କାଣ୍ଟ ଏବଂ କୋଇଲା ସଚିବ ଅନିଲ କୁମାର ଜୈନ ମଧ୍ୟ ଉପସ୍ଥିତ ଥିଲେ ।