ଭୁବନେଶ୍ବର: ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଛି । ଭିଡିଓ କନଫରେନସିଂ ଜରିଆରେ ଦେବଗଡର ଏହି କୋଭିଡ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏହି ହସ୍ପିଟାଲ ନିର୍ମିତ ହୋଇଛି । କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ ବୋଲି କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେବଗଡ଼ର ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଶିଶୁ ଶଯ୍ୟା ସହିତ ୧୨ଟି ICU, ୩୨ଟି HDU, ସ୍ବତନ୍ତ୍ର ଶିଶୁ ୱାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ରହିଛି ।
ଏହି ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ବ ରାଜ୍ୟ ସରକାର ହାତକୁ ନେଇଛନ୍ତି । ପୂର୍ବରୁ ଦେବଗଡରେ ୧୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି । ଏହାଦ୍ବାରା ଜିଲ୍ଲାରେ ବର୍ତ୍ତମାନ ଦୁଇଟି କୋଭିଡ ହସ୍ପିଟାଲ ପ୍ରତିଷ୍ଠିତ ହେଲା । ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଏ ଦିଗରେ ବେସରକାରୀ ଚିକିତ୍ସାଳୟ ମାନଙ୍କ ସହିତ କର୍ପୋରେଟ୍ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ PSU ମାନେ ଆଗେଇ ଆସିବା ଖୁସିର କଥା । ମହାମାରୀ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ତେଣୁ ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲା କରିବା ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "କୋଭିଡର ଦ୍ବିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ହେଲେ ତୃତୀୟ ଲହରର ସୂଚନା ଆସିଲାଣି । ଏହାର ମୁକାବିଲା ପାଇଁ ଆମର ପ୍ରସ୍ତୁତି ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ତରଳ ମେଡିକାଲ ଅମ୍ଳଜାନର ସୁବିଧା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି । ରାଜ୍ୟ ସରକାର ଚିକିତ୍ସା, ଟେଷ୍ଟିଂ, ଖାଦ୍ୟ ଆଦି ସବୁ ବ୍ୟବସ୍ଥାର ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ଏହାଦ୍ବାରା ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ମଜବୁତ ହୋଇଛି । ଉତ୍ତମ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁ ମହାମାରୀର ଅନିଶ୍ଚିତତାକୁ ଆମେ ଭଲ ଭାବରେ ମୁକାବିଲା କରିପାରିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।"
ଦେବଗଡର ଏହି ହସ୍ପିଟାଲ ସ୍ଥାପନରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ବେଦାନ୍ତର ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଦେଇଛନ୍ତି । କୋଭଡର ଦ୍ବିତୀୟ ଲହରରେ ପଶ୍ଟିମ ଓଡିଶା ଅଧିକ ପ୍ରଭାବିତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି । କୋଭିଡ ନିୟନ୍ତ୍ରଣରେ ଦେବଗଡ଼ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଜନସାଧାରଣ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, "କୋଭିଡ ପରିଚାଳନାରେ ଓଡିଶା ଦେଶରେ ଏକ ନମ୍ବର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଟିକାକରଣ ସହିତ, ରାଜ୍ୟର ଯେକୌଣସି କାର୍ଯ୍ୟକ୍ରମ ପାଇଁ ବେଦାନ୍ତ ଗ୍ରୁପ ସହଯୋଗ ପାଇଁ ସବୁବେଳେ ପ୍ରସ୍ତୁତ ଅଛି । "
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ