ଭୁବନେଶ୍ବର: ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଉଡାନ ଯୋଜନାରେ ଓଡ଼ିଶାର ଆଉ ୧୦ଟି ନୂଆ ବିମାନପଥ ସାମିଲ ହେବ । କେନ୍ଦ୍ର ସରକାର ଜାରି କରିଥିବା ଟେଣ୍ଡରରେ ଓଡିଶାର 10ଟି ବିମାନପଥ ସ୍ଥାନ ପାଇଛି । ଟେଣ୍ଡରରେ ସାମିଲ ହୋଇଥିବା ବିମାନପଥ ଗୁଡିକ ହେଲା ଭୁବନେଶ୍ବର-ଉତକେଲା, ଉତକେଲା-ଭୁବନେଶ୍ବର, ରାୟପୁର-ଉତକେଲା, ଉତକେଲା-ରାୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଭୁବନେଶ୍ବର-ଅର୍ମଦାରୋଡ, ଅର୍ମଦାରୋଡ-ଭୁବନେଶ୍ବର, ଭୁବନେଶ୍ବର-ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ କହିଛନ୍ତି, ଉଡାନ-ଆରସିଏସ୍ ଯୋଜନାର ସଫଳ କାର୍ଯ୍ୟକାରୀ କରୁଛନ୍ତି । ଓଡିଶାର 10 ବିମାନପଥ ସାମିଲ ହୋଇଥିବା ନେଇ ଉଷା ଖୁସି ବ୍ୟକ୍ତ କରିଛନ୍ତି । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡାନ ୪.୧ ଟେଣ୍ଡର ପ୍ରକ୍ରିୟାରେ ଦେଶର ୩୯୨ ଟି ବିମାନପଥକୁ ସାମିଲ ପାଇଁ ପ୍ରସ୍ତାବ ରଖିଛି । ଦେଶ ମଧ୍ୟରେ ଶସ୍ତାରେ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କର ଆରସିଏସ୍-ଉଡାନ ଯୋଜନା ହେଉଛି ଏକ ଫ୍ଲାଗସିପ କାର୍ଯ୍ୟକ୍ରମ । ଏହି ଯୋଜନା ଜାତୀୟ ଅର୍ଥନୀତିକୁ କ୍ରିୟାଶୀଳ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ସହ ଦେଶରେ ବିମାନ ପରିବହନ ଭିତ୍ତିଭୂମିର ବିକାଶ ହୋଇପାରିବ ।

ବର୍ତ୍ତମାନ ସୁଦ୍ଧା ଉଡାନ ଯୋଜନାରେ ୫୬ ଟି ବିମାନବନ୍ଦର, ୩୨୫ ବିମାନପଥ, ୫ଟି ହେଲିକାପ୍ଟର ଏବଂ ୨ଟି ସ୍ଥାନରେ ଜଳଉତ୍ସରୁ ବିମାନ ସେବା ସାମିଲ ହୋଇଛି । ଉଡାନ୍ ୪.୧ ରେ ଛୋଟ ଛୋଟ ବିମାନବନ୍ଦରକୁ ସଂଯୋଗ ସହିତ ସ୍ବତନ୍ତ୍ର ହେଲିକାପ୍ଟର ଓ ସିପ୍ଲେନ ଉପରେ ଗୁରୁତ୍ବ ଦିଆଯାଉଛି । ଏଥିସହିତ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ସହିତ ପରାମର୍ଶ କରି ସାଗରମାଳା ସିପ୍ଲେନ ସର୍ଭିସେସ୍ ଯୋଜନାରେ ନୂଆ ବିମାନ ପଥ ଯୋଡିବାପାଇଁ ପ୍ରସ୍ତାବ ରହିଛି । ଉଡାନ ଯୋଜନାରେ ୪ ପର୍ଯ୍ୟାୟ ସଫଳ ଟେଣ୍ଡର ପରେ ଉଡାନ ୪.୧ରେ ସେହି ସବୁ ବିମାନପଥକୁ ଅଗ୍ରାଧିକାର ଦିଆଯାଉଛି ବୋଲି ଉଷା ସୂଚନା ଦେଇଛନ୍ତି ।

ଏହି ପ୍ରକ୍ରିୟାରେ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନେ ଅନୁରୋଧ କରିଥିବା ବିମାନପଥ ସହିତ ପୂର୍ବରୁ ବାତିଲ ହୋଇଥିବା ବିମାନପଥକୁ ସାମିଲ କରାଯାଉଛି । ଅଧିକ ଚାହିଦା ରହିଥିବା ଦ୍ବି-ସ୍ତରୀୟ ଏବଂ ତ୍ରି-ସ୍ତରୀୟ ବିମାନପଥକୁ ଅନୁଧ୍ୟାନ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଏହାଦ୍ବାରା ଆମ ଦେଶରେ ବିମାନ ସଂଯୋଗକୁ ଅଧିକ ମଜବୁତ କରିହେବ । ଓଡିଶା ସରକାର ଭୁବନେଶ୍ବର-ଅର୍ମଦାରୋଡ ଓ ଭୁବନେଶ୍ବର-ରଙ୍ଗେଇଲୁଣ୍ଡା ବିମାନପଥ ପାଇଁ ଅନୁରୋଧ କରିଛନ୍ତି । ତେଣୁ ଏହି ଦୁଇ ବିମାନପଥକୁ ଉଡାନ ୪.୧ରେ ସାମିଲ କରାଯାଉଥିବା ସୂଚନା ମିଳିଛି । ଉଡାନ ୪.୧ ରେ ଛୋଟ ଛୋଟ ସହର/ ବିମାନବନ୍ଦରକୁ ସଂଯୋଗ ପାଇଁ ବିମାନ କମ୍ପାନୀଗୁଡିକ ଲାଗି କୋହଳ ବ୍ୟବସ୍ଥା ହେବ । ଟେଣ୍ଡର ପ୍ରକ୍ରିୟା ସେଣ୍ଟ୍ରାଲ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲରେ ଅପଲୋଡ୍ ହୋଇଥିବାବେଳେ ୬ ସପ୍ତାହ ମଧ୍ୟରେ ଏହା ସମାପ୍ତ ହେବ ବୋଲି ଆଶା ରଖାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ