ଭଦ୍ରକ: ସହରାଞ୍ଚଳରୁ ଗ୍ରାମାଞ୍ଚଳ । ଭଦ୍ରକ ଜିଲ୍ଲାର ସବୁଆଡେ ବେଶ ଧୁମଧାମରେ ପାଳିତ ହୁଏ ଗଣେଷ ଚତୁର୍ଥୀ । ଆଦିଦେବ ବିଘ୍ନ ବିନାଶକ ଗଣେଷଙ୍କ ପୂଜାର୍ଚ୍ଚନା କରନ୍ତି ଅଞ୍ଚଳବାସୀ । ଆଉ ପୂଜା ପାଇଁ ମୂର୍ତ୍ତି କାରିଗରଙ୍କ ବେପାର ଜମେ ।
ହେଲେ କୋରୋନା କାଳରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ପ୍ରଶାସନିକ କଟକଣା ମଧ୍ୟରେ ଗଣେଶ ପୂଜା ହେବାକୁ ଥିବାବେଳେ ମୂର୍ତ୍ତି କାରିଗରଙ୍କ ବେପାର କିନ୍ତୁ ଠପ୍ ହୋଇଯାଇଛି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏମାନେ ।
ପ୍ରଶାସନ 3 ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନକରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ କାରିଗର ମଧ୍ୟ ଏହାକୁ ପାଳନ କରୁଛନ୍ତି । ହେଲେ ପୂର୍ବାପେକ୍ଷା ବେପାର ହେଉନାହିଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ଏହି କାରଗରଙ୍କ ଉପରେ । ପୂଜା ସମୟ ଆସିଲେ ମୂର୍ତ୍ତି କରି ନିଜ ଗୁଜୁରାଣ ମେଣ୍ଟାଉଥିବା କାରିଗରମାନେ ଏବେ ସତେ ଯେପରି ହାତବାନ୍ଧି ବସିଛନ୍ତି । ନିଜ ଭାଗ୍ୟକୁ ଆଦରି କିଛି ମୂର୍ତ୍ତି କରି ଗ୍ରାହକଙ୍କୁ ଚାହିଁ ରହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ