ଭଦ୍ରକ: ବିଳମ୍ବରେ ହେଲେ ମଧ୍ୟ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତକୁ ପ୍ରଦାନ କରାଯାଇଛି ରାଜ୍ୟ ସଙ୍ଗୀତର ମାନ୍ୟତା । ହେଲେ କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ ଓ ସ୍ବାଭିମାନର ପ୍ରତୀକ ଏହି ଗୀତର ଲେଖକ ତଥା ସାରସ୍ବତ ସାଧନାର ମହାନାୟକ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ମିଳୁନାହିଁ ଯଥୋଚିତ ସମ୍ମାନ।
ଭଦ୍ରକ ହେଉଛି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାଧନା ଓ ସିଦ୍ଧିର କର୍ମଭୂମି । ହେଲେ ନିଜ ଜନ୍ମସ୍ଥାନରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟାଙ୍କୁ ନାଁ ମିଳିପାରୁଛି ଅନୁରୂପ ସମ୍ମାନ ନା ତାଙ୍କ ନାଁରେ ନାମିତି ହୋଇଛି କୌଣସି ସ୍ଥାନ । ଦୁଃଖର କଥା ହେଲା ଗତ କିଛି ବର୍ଷ ପୂର୍ବରୁ କବିଙ୍କ ନିଜ ଜିଲ୍ଲା ଭଦ୍ରକ ସଦର ମହକୁମା ବାଇପାସ ଛକଠାରେ ତାଙ୍କର ଏକ ପୂର୍ଣ୍ଣାବୟ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ହେଲେ ଗତ ବର୍ଷକ ତଳେ ରାସ୍ତା ସମ୍ପ୍ରସାରଣ ଆଳରେ ରାତାରାତି କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲା ଏହି ପ୍ରତିମୂର୍ତ୍ତି । ଅନେକ ଆନ୍ଦୋଳନ ହୋଇଛି । ଆଉ ଅନେକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ହେଲେ କବିଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । କେବଳ ଏତିକି ନୁହେଁ କାନ୍ତକବିଙ୍କ ଜନ୍ମମାଟି ତାଳପଦାଠାରେ ଥିବା ତାଙ୍କ ପୈତୃକ ଘରଟି ଏବେ ଭଗ୍ନ ସ୍ତୁପରେ ପରିଣତ ହୋଇଛି । ଏନେଇ ଜନସାଧାରଣଙ୍କ ମନରେ ରହିଛି ଅସନ୍ତୋଷ ।
ବନ୍ଦେ ଉତ୍କଳ ଜନନୀ ଭଳି କାଳଜୟୀ ସଙ୍ଗୀତ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ସହ, ସମଗ୍ର ଓଡ଼ିଶାକୁ ଏହା ଏକ ସୂତ୍ରରେ ବାନ୍ଧି ରଖିଛି। ହେଲେ ଏହାର ରଚୟିତାଙ୍କ ପ୍ରତି ଯଥୋଚିତ ସମ୍ମାନ ନ ମିଳିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟର ବିଷୟ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ