ଭଦ୍ରକ: OPSC ପକ୍ଷରୁ ଆରମ୍ଭ ହେବାକୁ ଥିବା 2020 OAS ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 2019 OASର ଚୂଡାନ୍ତ ଫଳ ପ୍ରକାଶ ନକରି 2020 OAS ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିବା କେତେ ଯୁକ୍ତିଯୁକ୍ତ ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ଏଥିପାଇଁ ଆଗରୁ ବହୁବାର ମଧ୍ୟ ସ୍ବର ଉତ୍ତୋଳନ କରିଥିଲେ ପରୀକ୍ଷାର୍ଥୀ ।
ଗତ 2018 OAS ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବା ପରେ 2019 OAS ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହା ଫଳରେ ଅନେକ ସଫଳ ପ୍ରାର୍ଥୀ ନିଜର ଇଚ୍ଛାନୁସାରେ ପଦବୀ ପାଇବା ପରେ ଅନାବଶ୍ୟକ ଭାବେ ପରବର୍ତ୍ତୀ ବର୍ଷର ପ୍ରାଥମିକ ପରୀକ୍ଷା ନ ଦେଇ ଅନ୍ୟ ଆଶାୟୀ ମାନଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ହାସଲରେ ସହାୟକ ହୋଇଥିଲେ । ଏହିପରି ଢାଞ୍ଚାରେ UPSC ପକ୍ଷରୁ ପରୀକ୍ଷା ପରିଚାଳନା କରାଯାଏ। ତେବେ OPSC ଦୂରଦୃଷ୍ଟିହୀନ ହୋଇ ପୁରୁଣା ଢାଞ୍ଚାକୁ ପୁଣି ଫେରି ଯିବା ଅଶାୟୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି ।
ସୂଚନାନୁଯାୟୀ 2019 OAS ମୁଖ୍ୟ ପରୀକ୍ଷା 2021 ଜାନୁୟାରୀ 2 ତାରିଖରୁ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ହୋଇନାହିଁ । ସାକ୍ଷାତକାର ପରୀକ୍ଷା ନହୋଇ ପାରିବାରୁ ମେଧା ତାଲିକା ପ୍ରକାଶ ନପାଇବା OPSCର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । COVID ସମୟରେ ମଧ୍ୟ ଉତ୍ତର ପ୍ରଦେଶ ଭଳି (UP PSC) ରାଜ୍ୟ, ସେମାନଙ୍କର ମେଧା ତାଲିକା ପ୍ରକାଶ କରି ସାରିଛନ୍ତି । OPSCର ମାତ୍ର 1500 ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେଇଥିବା ସୂଚନା ମିଳିଛି । 2020 OAS ପ୍ରଥମ ପରୀକ୍ଷା ହେବା କେତେ ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି ।
ଫଳରେ ଏହା ଅନେକ IAS ସାକ୍ଷାତକାର ପାଇଁ ଯୋଗ୍ୟପ୍ରାର୍ଥୀଙ୍କୁ ଅନାବଶ୍ୟକ ଭାବେ ସର୍ବଭାରତୀୟ ସ୍ତରରେ ସାକ୍ଷାତକାର ପାଇଁ ନିଜକୁ ପ୍ରସ୍ତୁତ କରିବାରେ ବ୍ୟାଘାତ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କିଛି ପ୍ରାର୍ଥୀ ବାଧ୍ୟ ହୋଇ ଦିଲ୍ଲୀରୁ ଫେରି ଓଡିଶାରେ OAS ପ୍ରାଥମିକ ପରୀକ୍ଷା ଓ IAS ସାକ୍ଷାତକାର ପାଇଁ ପୁନଶ୍ଚ ଦିଲ୍ଲୀ ଯିବେ। ଯାହା ତାଙ୍କର ପ୍ରସ୍ତୁତିକୁ ବ୍ୟାହତ କରିବା ସହ କୋରୋନା ସଂକ୍ରମଣର ଆଶଙ୍କା ବଢାଇଛି ।
ତେଣୁ ଅନେକ IAS ଯୋଗ୍ୟ ପ୍ରାର୍ଥୀ କୋରୋନା ଓ ନିଜର ଏକାଗ୍ରତା ହରାଇବା ଭୟରେ OAS ପରୀକ୍ଷା ଦେବାରୁ ନିବୃତ୍ତ ରହିବାକୁ ବାଧ୍ୟ ହେବେ । ଏପରି ଦୂରଦୃଷ୍ଟିହୀନ ନିଷ୍ପତ୍ତି ନେଇ IAS ପାଇବା ଭଳି ଯୋଗ୍ୟ ପିଲାଙ୍କ ପାଇଁ ଓଡିଶା ପ୍ରଶାସନିକ ସେବାରେ ପ୍ରବେଶ ଦ୍ବାର ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଏନେଇ କୌଣସି ପରୀକ୍ଷାର୍ଥୀ OPSC ପକ୍ଷରୁ ଆରମ୍ଭ ହେବାକୁ ଥିବା 2020 OAS ପରୀକ୍ଷାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ୍ ଥିବାବେଳେ, ରଜତ କୁମାର ମିଶ୍ର ନାମକ ଜଣେ ପରୀକ୍ଷାର୍ଥୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ