ଭଦ୍ରକ: ଫେରାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅଧିନ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ l ଆଉ ଘଟଣାର ଠିକ୍ 3 ମାସ ପରେ ଧରା ପଡ଼ିଛି ଫେରାର ହୋଇଥିବା ମାଷ୍ଟର୍ ମାଇଣ୍ଡ । ସେପଟେ ମୌକା ଦେଖି ଅଭିଯୁକ୍ତକୁ କାବୁ କରି ଗିରଫ କରିବାରେ ସଫଳ ହୋଇଛି ପୁଲିସ। ବ୍ରାଉନ ସୁଗାର ଚାଲାଣ ଘଟଣାରେ ଫେରାର ଅଭିଯୁକ୍ତକୁ ବହୁ ଦିନର କସରତ ପରେ ଗିରଫ କରିବାରେ ସଫଳ ହୋଇଛି ଗ୍ରାମାଞ୍ଚଳ ଥାନା ପୋଲିସ ।
ସୂଚନାନୁଯାୟୀ ଅଭିଯୁକ୍ତ ଜଣକ ହେଉଛନ୍ତି ବଉଳପୋଖରୀ ଗ୍ରାମାଞ୍ଚଳର ତପନ ମଲ୍ଲିକ । 2021 ମସିହା ଏପ୍ରିଲ ମାସରେ ଜଳେଶ୍ବର ଅଞ୍ଚଳରୁ ଏକ ଆପାଚି ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଭଦ୍ରକ ଅଭିମୁଖେ ଆସୁଥିବା ନେଇ ଖବର ପାଇଥିଲା ଗ୍ରାମାଞ୍ଚଳ ପୋଲିସ । ପରେ 16 ନମ୍ବର ଜାତୀୟ ରାଜପଥର ପୋଲିସର ଚଢାଉ ଜାରି ରହିଥିବା ବେଳେ ରାଣିତାଲ ନିକଟରେ ସେମାନଙ୍କୁ ଅଟକାଇଥିଲା ପୁଲିସ ।
ତେବେ ଘଟଣାସ୍ଥଳରେ ବ୍ରାଉନ ସୁଗାର ସହ 2 ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ପୋଲିସକୁ ଚକମା ଦେଇ ଖସିଯିବା ସହ ଫେରାର ହୋଇଯାଇଥିଲା ଅଭିଯୁକ୍ତ ତପନ । ତେବେ ଅଭିଯୁକ୍ତ ତପନର ଗତିବିଧି ଉପରେ ସଂପୂର୍ଣ୍ଣ ଭାବେ ନଜର ରଖିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଶେଷରେ ମୌକା ଦେଖି ଅଚାନକ ଚଢାଉ କରି ଅଭିଯୁକ୍ତ ତପନ ମଲ୍ଲିକଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।
ପୂର୍ବରୁ ଏହି ମାମଲାରେ ଗିରଫ 2 ଅଭିଯୁକ୍ତ ଜେଲ ଯାଇଥବାବେଳେ ଗିରଫ ତପନକୁ ମଧ୍ୟ କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ