ଭଦ୍ରକ: ସାଙ୍ଗ ହୋଇ ଡଙ୍ଗା ଭସାଉଥିଲେ । ହେଲେ କିଏ ଜାଣିଥିଲା ଏ ଡଙ୍ଗା ଭସା ତାଙ୍କ ପାଇଁ କାଳ ହେବ ବୋଲି । କିଏ ଜାଣିଥିଲା ଦୁନିଆ କଣ ବୁଝିବା ଆଗରୁ ଦୁନିଆ ଛାଡି ଚାଲିଯିବ ସେ। ଭଗବାନଙ୍କ ପୀଠରେ ଘଟିଛି ଏହି ଅଘଟଣ । ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ସୋଲ ଡଙ୍ଗା ଭସାଉଥିବା ସମୟରେ 2ଜଣ ଶିଶୁ ବୁଡି ଯାଇଥିଲେ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ଗଣେଷ ଓ ସାଇ ସୋଲ ଡଙ୍ଗା ଭସାଉଥିଲେ । ଅସାବଧନତା ପାଇଁ 2ଜଣ ଶିଶୁ ପୋଖରୀରେ ବୁଡି ଯାଇଥିଲେ। କିଛି ଲୋକ ଏହା ଦେଖି ପାଗୁଲ ପାଢୀଙ୍କ 7 ବର୍ଷର ପୁଅ ଗଣେଷ ଓ ସୁମନ୍ତ ପାଢୀଙ୍କ ପୁଅ ସାଇକୁ ଉଦ୍ଧାର କରିଥିଲେ। ହେଲେ ବିଧିର ବିଡମ୍ବନା ସୁମନ୍ତ ପାଢୀଙ୍କର ସାଇ ବହୁତ ଗଭୀରକୁ ଚାଲିଯାଇଥିଲା । ଦୀର୍ଘ ସମୟ ପରେ ତାକୁ ଉଦ୍ଧାର କରି ପ୍ରଥମେ ଆରଡି ମେଡିକାଲ ଓ ପରେ ଧୁଷୁରୀ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସାଇକୁ ବଞ୍ଚାଇ ପାରିନଥିଲେ ଡାକ୍ତର । ସାଇକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ଅନ୍ୟ ପକ୍ଷରେ ଗଣେଷକୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରୁ ଘରକୁ ପଠାଇ ଦିଆଯାଇଛି ବୋଲି ଜଣାପଡିଛି । ଗଣେଷର ଅବସ୍ଥା ଠିକ ଥିବା ଜଣାପଡିଛି । ଦୁର୍ଘଟଣାରେ ଗାଁ ଏକଦମ ସ୍ତବ୍ଧ ପାଲଟି ଯାଇଛି । ବୁକୁ ଫୁଟା ଚିତ୍କାର କରୁଛି ସାଇର ମାଆ । ଗୁମୁରି ଗୁମୁରି କାନ୍ଦୁଛନ୍ତି ସାଇର ବାପା ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ