ଭଦ୍ରକ: ମହିଳାଙ୍କୁ ବାପଘର ଲୋକଙ୍କ ସହ ଶାଶୁଘର ଲୋକଙ୍କ ମରଣାନ୍ତକ ଆକ୍ରମଣ । ଥାନାରେ ମାମଲା ରୁଜୁ କଲେ ବୋହୂ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ବିରସ କେରାସାହି ଗ୍ରାମରେ । ସୂଚନା ଅନୁସାରେ, କେରାସାହି ଗ୍ରାମର ଜଣେ ମହିଳା ସ୍ୱାମୀଙ୍କ ନିର୍ଯ୍ୟାତନାରେ ଅସହ୍ୟ ହୋଇ ଓକିଲ ନୋଟିସ ପଠାଇଥିଲେ । ପରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ସମେତ ତାଙ୍କ ଦୁଇଟି ପିଲାମାନଙ୍କୁ ଅକଥନୀୟ ଅତ୍ୟାଚାର ସହିତ ନିସ୍ତୁକ ମାଡ ମରାଯାଇଥିଲା ।
ଯାହା ଫଳରେ ସେମାନେ ଘର ଛାଡି ଅନ୍ୟଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ସୂଚନା ରହିଛି । କିନ୍ତୁ ତାଙ୍କୁ ଅପହରଣ କରାଯାଇଥିବା ନେଇ ବାପ ଘରଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜାଣିବା ପରେ ମହିଳା ଜଣକ ପୋଷ୍ଟାଲ ଯୋଗେଁ ନାୟକାଣିଡିହି ଥାନାରେ ଏତଲା ଦେଇଛନ୍ତି । ତାଙ୍କ ସ୍ୱାମୀ ସମେତ ସାନଭାଇ ଓ ଅନ୍ୟମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବା ସହିତ ଦୁଇ ପିଲା ସମେତ ତାଙ୍କର ନିଜ ଜୀବନ ବଞ୍ଚାଇବା ଲାଗି ସେ ଘରୁ ପଳେଇ ଆସିଥିବା ଏତଲାରେ ଦର୍ଶାଇଛନ୍ତି ।
ଏହାସହ ଜଣେ ପ୍ରାପ୍ତ ବୟସ୍କ ମହିଳାଭାବେ ନିଜ 2 ପିଲାଙ୍କ ସମେତ ତାଙ୍କର ଜୀବନର ସୁରକ୍ଷା ଲାଗି ଏପରି ଲୁଚି ପଳେଇ ଆସିଥିବା ଏତଲାରେ ଦର୍ଶାଇଛନ୍ତି । ନିଜ ଅର୍ଜିତ ଅର୍ଥରେ ବିଦେଇପୁର ଘୋଷରା ନିକଟରେ ଜାଗା କିଣି ଘର ତିଆରି ରହୁଥିଲେ ନିରୁପମା । ମାତ୍ର ଅଭିଯୁକ୍ତମାନେ ତାଙ୍କୁ ମାଡ ମାରି ବିଦା କରି ଦେଇଥିବା ଅଭିଯୋଗ କରି ନାୟକାଣିଡିହି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା ।
ଇଟିଭି ଭାରତ, ଭଦ୍ରକ