ଭଦ୍ରକ: ରାସ୍ତା ଜବର ଦଖଲକୁ କେନ୍ଦ୍ରକରି ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ ମହିଳା ଗିରଫ । ଭଦ୍ରକ ଜିଲ୍ଲା ଗଣ୍ଡପଡା-ଗଣେଶ୍ବରପୁର ଅଞ୍ଚଳରେ । ତେବେ ଏହି ଗ୍ରାମ୍ୟ ରାସ୍ତା ଜବରଦଖଲ ଘଟଣାକୁ କେନ୍ଦ୍ରକରି ଜବରଦଖଲକାରୀ ଆରଆଇ କେଶବ ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଘଟଣାରେ 5 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୨ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଉ ଅନ୍ୟମାନଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଜାରି ରହିଥିବା ନେଇ ପୋଲିସ ସୂଚନା ମିଳିଛି ।
ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାଜଳ ନିଷ୍କାସନରେ ବାଧକ ସାଜିଥିବା ଜବର ଦଖଲକାରୀଙ୍କ ବିରୋଧରେ କେଶବ ସେନାପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ନଦେଇ ଦୋଳସାହିର ରାଜସ୍ବ ନିରୀକ୍ଷକ(RI) ଅଭିଯୋଗକାରୀ କେଶବ ସେନାପତିଙ୍କୁ ବିବାଦୀୟ ସ୍ଥାନକୁ ଡକାଇ ତଦନ୍ତ କରୁଥିବା ବେଳେ ନୃସିଂହ ବେହେରା, ଚକ୍ରଧର ବେହେରା, ଶୁକଦେବ କର, ପାର୍ବତୀ ବେହେରା ଓ ଲକ୍ଷ୍ମୀ ବେହେରା ପ୍ରମୁଖ ମିଳିତ ଭାବେ କେଶବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ସୂଚନାନୁସାରେ ଏହି ଆକ୍ରମଣରେ କେଶବଙ୍କର ବାମ ହାତ ଓ ଗୋଡ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତେବେ କେଶବଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବା ବେଳେ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅପରାହ୍ନରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
ତେବେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବା ସହିତ ସଂପୃକ୍ତା ରାଜସ୍ବ ନିରୀକ୍ଷକଙ୍କ (RI)ବିରୋଧରେ ଆଇନ୍ଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏନେଇ କେଶବଙ୍କ ପୁଅ ଅଂଶୁମାନ ସେନାପତିଙ୍କ ଏତଲା କ୍ରମେ ଅଭିଯୁକ୍ତମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ସଙ୍ଗୀନ ଦଫାରେ 2 ଜଣ ମହିଳା ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୁଲିସ ।
ସେପଟେ ପ୍ରଶାସନ ପ୍ରତି ଗ୍ରାମବାସୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ନେଇଛି । ରାଜସ୍ବ ନିରୀକ୍ଷକଙ୍କ (RI)ଙ୍କୁ ଦାୟୀକରି ତାଙ୍କୁ ମହିଳାମାନେ ସଙ୍ଘବଦ୍ଧ ହୋଇ ସ୍ଥାନୀୟ ଅଷ୍ଟମ ପ୍ରହରୀ ମଣ୍ଡପ ଗୃହରେ ଭର୍ତ୍ତିକରି ବାହାର ପଟରୁ ତାଲା ପକାଇଛନ୍ତି । ଆଉ ଏହି ଘଟଣାକୁ ନେଇ ଗାଁରେ ତହସିଲଦାର ଓ ଆଇଆଇସିଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଅନ୍ୟପଟେ RI ଇତିଶ୍ରୀ ଖଟୁଆ ଓ ତହସିଲଦାରଙ୍କ ଅଭିଯୋଗକ୍ରମେ ଗ୍ରାମବାସୀଙ୍କ ବିରୋଧରେ ଏକ ମାମଳା ରୁଜୁ ହୋଇଛି । ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବର୍ଷାଜଳ ଜମାଟ ବାନ୍ଧିଥିବା ସ୍ଥାନକୁ ଯାଇଥିଲେ ଏବଂ କେଶବ ସେନାପତି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ କେଶବ ସେନାପତିଙ୍କୁ ମରଣାନ୍ତକ ଆକ୍ରମଣରେ ଇତିଶ୍ରୀଙ୍କ କୌଣସି ଭୂମିକା ନଥିବା ବେଳେ ତାଙ୍କୁ ଶତାଧିକ ଗ୍ରାମବାସୀ ଠେଲାପେଲା କରି ଘର ଭିତରେ ଭର୍ତ୍ତିକରି ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି । ଏନେଇ ପ୍ରତିକ୍ରିୟାଶୀଳ ହୋଇଛି ଜିଲ୍ଲା ରାଜସ୍ବ ନିରୀକ୍ଷକ ସଙ୍ଘ । ଆଉ ଏହି ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ । ସେ ତିହିଡି ଗସ୍ତ କରି ତହସିଲଦାରଙ୍କ ସହ ଆଲୋଚନା କରିଥିବା ନେଇ ଜଣାଯାଇଛି।
ତେବେ ଜବର ଦଖଲ ଉଚ୍ଛେଦ କରିବା ଘଟଣାରେ ଆକ୍ରମଣକାରୀଙ୍କୁ ଗିରଫ ନ କରିବା ଯାଏଁ ଦୋଳସାହି-ବୋଡକ ରାସ୍ତାକୁ ସ୍ଥାନୀୟ ଗଣ୍ଡପଡାରେ ଉଭୟ ପାର୍ଶ୍ବରୁ ଗ୍ରାମବାସୀମାନେ ଅବରୋଧ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ