ବ୍ରହ୍ମପୁର: ଆଦିବାସୀ ଅଞ୍ଚଳରେ ନକଲି ପଟ୍ଟା ବଣ୍ଟନ କରି ଠକେଇ ମାମଲାରେ ଯୁବକ ଗିରଫ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରିଗାଁ ପଞ୍ଚାୟତର ଆଦିବାସୀ ଜନଜାତି ଡିକିଲି ଗ୍ରାମରେ ଲୋକଙ୍କୁ ଜଙ୍ଗଲ ଜମି ନକଲି ପଟ୍ଟା ବଣ୍ଟନ କରି ଠକୁଥିଲେ ଏହି ଯୁବକ ଜଣଙ୍କ । ଏନେଇ ଠକେଇ କରୁଥିବା ଅଭିଯୋଗରେ କେ.ନୂଆଗାଁ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ଦିଗପହଣ୍ଡି ଥାନା ସାନଡୁମ୍ବୁଳା ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ ।
ସୂଚନାନୁଯାୟୀ ଗିରଫ କୃଷ୍ଣଚନ୍ଦ୍ର ବୁଧବାର ଦିନ ବ୍ଳକର ଉକ୍ତ ଗ୍ରାମରେ ପହଞ୍ଚି ଆଦିବାସୀ ଲୋକଙ୍କୁ ଏକତ୍ରିତ କରିବା ସହ ସେ ନିଜକୁ ତହସିଲ କାର୍ଯ୍ୟାଳୟର ଓମିନ ଭାବେ କାର୍ଯ୍ୟ କରୁଥିବା ନେଇ ପ୍ରଥମେ ଜଣାଇଥିଲେ । ଏହାପରେ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ନିଜ ନାମରେ କରାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ବାବଦରେ ଅଭିଯୁକ୍ତ ଜଣଙ୍କ ୫ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିବା ପରେ ୧୫ ଜଣ ଲୋକଙ୍କୁ ନକଲି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲା ।
ତେବେ ପଟ୍ଟାରେ ଦସ୍ତଖତ ଓ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କ ଉପରେ କିଛି ଗ୍ରାମବାସୀ ସନ୍ଦେହକରିଥିଲେ । ଏହା ପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ସନ୍ତୋଷ ପାତ୍ରଙ୍କୁ ଜଣାଇବା ପରେ ସରପଞ୍ଚ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ ଙ୍କୁ ଅବଗତ କରାଇଥିଲେ । ଏଥିସହ କେ . ନୂଆଗାଁ ଥାନାରେ ଏନେଇ ଏକ ଏତଲା ମଧ୍ୟ ଦିଆଯାଇଥିଲା । ତହସିଲଦାରଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ପହଞ୍ଚି ଘଟଣାର ତଦନ୍ତ କରିବା ପରେ ପୋଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରିଥିଲା । ପୋଲିସ ଅଭିଯୁକ୍ତ ନିକଟରୁ ୧୫ ଟି ନକଲି ପଟ୍ଟା ସହ ଦିଗପହଣ୍ଡି ଅତିରିକ୍ତ ତହସିଲଦାରଙ୍କ ନାମ ଲେଖା ରବର ଷ୍ଟାମ୍ପ ଓ ଅନ୍ୟାନ୍ୟ ଉପକରଣ ଜବତ କରି ଏକ ମକଦ୍ଦମା ରୁଜୁ କରିବା ସହ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ତେବେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଗତ ୨୦୨୦ ନଭେମ୍ବର ୧୧ ତାରିଖରେ ଦିଗପହଣ୍ଡି ଥାନା କୋଟିନଡ଼ା ପଞ୍ଚାୟତ ଅଧିନସ୍ଥ ଚଢ଼େୟାଗରଦ ଗ୍ରାମରେ ନିରୀହ ଆଦିବାସୀ ମହିଳାଙ୍କ ଠାରୁ କାଳିଆ ଯୋଜନା ଯୋଗାଇ ଦେବା ବାହାନାରେ ଟଙ୍କା ଲୁଟ ମାମଲାରେ ଦିଗପହଣ୍ଡି ପୋଲିସ ଗିରଫ କରି ଥାନାରେ ପୂର୍ବରୁ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା ।
ସେହିପରି ପୂର୍ବରୁ ଗତ ୨୦୧୮ ଅକ୍ଟୋବର ମାସରେ ହୋଇଥିବା ତିତିଲି ବାତ୍ୟାରେ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ତିତିଲି କ୍ଷତିପୂରଣ ଜମାଖାତାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିଲା । ତେବେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ପ୍ରାୟ ଏକ ସପ୍ତାହ ପୂର୍ବରୁ ଜେଲରୁ ମୁକୁଳିଥିଲେ ମଧ୍ୟ ପୁଣି ଥରେ ନକଲି ପଟ୍ଟା ବଣ୍ଟନ କରି ଧରାପଡ଼ିଥିବା ଘଟଣା ଏବେ ଦିଗପହଣ୍ଡି ତଥା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ