ବ୍ରହ୍ମପୁର: ଏନ୍ଏସି କାର୍ଯ୍ୟାଳୟରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ଦାବି । ଏହି ଦାବି ନେଇ ଧାରଣାରେ ବସିଛନ୍ତି ଏନଏସିର ସାତ ଗୋଟି ଓ୍ବାର୍ଡର ନିର୍ବାଚିତ ସଦସ୍ୟ । ଏଠାରେ ନିଯୁକ୍ତ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ମନମୁତାବକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆସିଛି । ଯାହାକୁ ନେଇ ଏନ୍ଏସି କାର୍ଯ୍ୟାଳୟର ସମସ୍ତ କାଉନସିଲର ଅସନ୍ତୋଷ ପ୍ରକାଶ କରିଛନ୍ତି । ଠିକ୍ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଠିକ୍ କାମ କରୁନଥିବାରୁ ସେମାନେ ଅଭିଯୋଗ ଆଣିଛନ୍ତି ।
ଏହାକୁ ବିରୋଧ କରି ଏନ୍ଏସି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି କାଉନସିଲର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ । ସୂଚନାନୁସାରେ ଦୀର୍ଘଦିନ ହେବ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ କେହି ବି ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ହୋଇନାହାନ୍ତି । ଫଳରେ ଅନେକ କାମ ଅଧାରେ ଅଟିକିଛି ।
ଏନେଇ କାଉନସିଲରମାନେ ବହୁବାର ଦାବି କରିଆସୁଛନ୍ତି । ହେଲେ ଏଯାବତ୍ କୌଣସି କାର୍ଯାନୁଷ୍ଠାନ ନିଆଯାଇନି । ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନଏସିର ସାତ ଗୋଟି ଓ୍ବାର୍ଡର ନିର୍ବାଚିତ ସଦସ୍ୟ । ଏମାନଙ୍କ ଦାବି ସ୍ଥାନୀୟ କୋଦଳା ତହସିଲଦାର ସସ୍ମିତା ଶତପଥୀ ଏହି ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ନେଇଛନ୍ତି । କିନ୍ତୁ ସେ ଏନଏସି ପାଇଁ ସଠିକ ସମୟ ଦେଇ ପାରୁନାହାଁନ୍ତି । ଏହାବ୍ୟତୀତ ଏନଏସିରେ ହେଉଥିବା କୌଣସି ଉନ୍ନୟନମୂଳକ କାର୍ଯ୍ୟରେ କାଉନସିଲର ମାନଙ୍କୁ ସୂଚନା ଦିଆଯାଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଜନତା କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି । ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଉନଥିବା କହିଛନ୍ତି ।
ତେବେ ଯେ ପର୍ଯ୍ୟନ୍ତ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଠାରେ ନିଯୁକ୍ତି ଦିଆନଯିବ ସେ ପର୍ଯ୍ୟନ୍ତ ତାଲା ପକାଇ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ କାଉନସିଲର । ଅନ୍ୟପଟେ ଘଟଣାସ୍ଥଳରେ କୋଦଳା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପହଞ୍ଚି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଫୋନ୍ କରି ଆସିବାକୁ କହିଥିଲେ ।
ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଗଲେନାହିଁ । ତେବେ ନିର୍ବାହୀ ଅଧିକାରୀଙ୍କ ଏଭଳି ଦାୟିତ୍ବହୀନତା କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଏନେଇ କାଉନସିଲର ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏ ଘଟଣା ଆଗକୁ କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ବ୍ରହ୍ମପୁର