ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଚନ୍ଦ୍ରପଦା ଗାଁରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। କାର୍ତ୍ତିକ ସୋମବାରରେ ମାଟିତଳୁ ଆର୍ବିଭାବ ହୋଇଛନ୍ତି ଦୁଇ ଦୁଇଟି ଶିବଲିଙ୍ଗ। ମାଟିତଳୁ ଶିବ ଲିଙ୍ଗ ବାହାରିବା ପରେ ବର୍ତ୍ତମାନ ଗାଁ ଲୋକେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। ଏହାପରେ ଗାଁରେ ସ୍ବୟଂ ମହାଦେବ ଶିବ ଆବିର୍ଭାବ ହୋଇଥିବା ନେଇ ଗାଁ ଲୋକେ କହିଛନ୍ତି ।
ଗାଁରେ ଶିବ ଲିଙ୍ଗ ପୋତି ହୋଇ ରହିଥିବା ନେଇ କିଛିଦିନ ତଳେ ଜଣେ ଗ୍ରାମବାସୀଙ୍କୁ ସ୍ବପ୍ନାଦେଶ ହୋଇଥିବା ନେଇ ସୂଚନା ମିଳିଛି। ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଗାଁ ଅନ୍ୟମାନଙ୍କୁ ଜଣାଇଥିଲେ। ତେବେ ଗାଁ ଲୋକେ ଏହାକୁ ବିଶ୍ବାସ କରି ନଥିଲେ । ଏହାପରେ ସ୍ବପ୍ନାଦେଶ ହୋଇଥିବା ବ୍ୟକ୍ତି ଜଣକ ଗାଁ ଲୋକଙ୍କ ସନ୍ଦେହ ଦୂର କରିବାକୁ ଚାହିଁଥିଲେ। ଏଥିପାଇଁ ସ୍ବପ୍ନରେ ଦେଖିଥିବା ସ୍ଥାନ କିଆ ଲଟା ବୁଦା ଅଞ୍ଚଳରେ ଆଜି(ସୋମବାର) ମାଟି ଖୋଳିବା ଆରମ୍ଭ କରିଥିଲେ। ଏହାପରେ ସେହି ସ୍ଥାନରୁ ଚନ୍ଦନ ଓ ହଳଦୀ ସୁଗନ୍ଧ ବାହାରିଥିବା ନେଇ ବ୍ୟକ୍ତି ଜଣକ କହିଛନ୍ତି। ଏନେଇ ପୁନଃ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ମାଟି ଖୋଳିବା ପରେ ସେହି ସ୍ଥାନରୁ ଦୁଇଟି ଶିବ ଲିଙ୍ଗ ବାହାରିଛି ।
ଘଟଣାଟି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚନ୍ଦ୍ରପଦା ଗାଁରେ ଶିବଙ୍କ ପୂଜା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ସ୍ଥାନରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଛି । ଗାଁକୁ ମହାଦେବଙ୍କ ଆଶୀର୍ବାଦ ମିଳିଥିବା ନେଇ ଆଲୋଚନା ହେଉଛି। ଏଭଳି ଘଟଣା ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଥିବା ନେଇ କହିଛନ୍ତି ଗାଁ ଲୋକେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ