ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ରାୟଗଡା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ 2 ଜଣ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା । ସୂଚନା ଅନୁଯାୟୀ ବୁଧବାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଉପରବସା ନିକଟରେ ଏକ ମୋଟର ସାଇକେଲରେ ଯାଉଥିବା ବେଳେ କୌଣସି କାରଣବସତଃ ଫରେଷ୍ଟ ଚେକଗେଟ ପାଚେରୀରେ ବାଇକଟି ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା ।
ମୃତକମାନେ ହେଲେ ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ନୂଆ ମୌଳାଭଞ୍ଜା ଗ୍ରାମର ଦିପୁନ ଗୌଡ ଏବଂ ଶଙ୍କର ପାତ୍ର । ଦିପୁନ ଓ ଶଙ୍କର ଉଭୟ ପଲସର ମୋଟର ସାଇକେଲରେ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଉପସ୍ଥିତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ପରେ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ତେଣେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ