ବ୍ରହ୍ମପୁର: ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରୂପେ ମନୋନୀତ ହେଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନିଗମର ଅଧ୍ୟକ୍ଷ ସମେତ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୋର୍ଡର ବହୁ ପଦପଦବୀରେ ଦଳୀୟ ନେତୃବୃନ୍ଦଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏହି କ୍ରମରେ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଏବଂ ରାଜ୍ୟ କୋଠାବାଡ଼ି ଶ୍ରମିକ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଏହି ଦାୟିତ୍ଵ ଦିଆଯାଇଛି ।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବରେ ଦାୟିତ୍ଵ ନିର୍ବାହ କରୁଛନ୍ତି ରମେଶ ଚ୍ୟାଉପଟ୍ଟନାୟକ । ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ଦାୟିତ୍ବ ଦିଆଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ମୁଖ୍ୟତଃ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବରେ ମୁଖ୍ୟମନ୍ତ୍ରୀ ରହିଥିବାରୁ ରାଜ୍ୟରେ ବିଭିନ୍ନ ଯୋଜନା ଓ ତାର ସଠିକ ରୂପାୟନ କିପରି ହେବ ସେନେଇ କାର୍ଯ୍ୟ କରିବେ ବୋଲି ରମେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: IAS Reshuffle: ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ
ସେ ଆହୁରି ମଧ୍ୟ କହିଛନ୍ତି, "ସରକାରୀ ଯୋଜନା ଗୁଡ଼ିକ କିଭଳି ଭାବେ ଲୋକଙ୍କ ପାଖରେ ପହଞ୍ଚିବ ସେ ଦିଗରେ ବିଶେଷ ଧ୍ୟାନ ଦେବି । ଜନହିତକାର କାର୍ଯ୍ୟ ପାଇଁ ନୂଆ ନୂଆ ଯୋଜନା କରିବାକୁ ହେବ । ଏହି ପଦ ମିଳିବା ଯୋଗୁଁ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇବି ।" ବ୍ରହ୍ମପୁର ସହରର ଅଧାରେ ଅଟକି ରହିଥିବା ରିଙ୍ଗ ରୋଡ ଯୋଜନାର କାର୍ଯ୍ୟ ଏବଂ ଶୀତଳାପଲ୍ଲୀର ୱଗାନ ଫ୍ୟାକ୍ଟ୍ରି କାର୍ଯ୍ୟକ୍ଷମ ହୋଇପାରିବ ସେନେଇ ଉଦ୍ୟମ କରିବେ ବୋଲି କହିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର