ବ୍ରହ୍ମପୁର: ପାହାଡ଼ ଶୀର୍ଷରେ ଦୀର୍ଘ ବର୍ଷ ଧରି ଲୁକ୍କାୟିତ ଭାବରେ ରହିଥିବା ଏକ ପୁରାତନ ମନ୍ଦିରର ପୁନରୁଦ୍ଧାର ଓ ସୈାନ୍ଦର୍ଯ୍ୟକରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତର କୁଶପଡା ଗ୍ରାମକୁ ଲାଗି ରହିଥିବା ପାହାଡ଼ ଶୀର୍ଷରେ ଲୁଚି ରହିଥିବା ବହୁ ପୁରାତନ ତ୍ରିନାଥ ମନ୍ଦିରର ପୁନରୁଦ୍ଧାର ଓ ଚତୁଃପାର୍ଶ୍ଵ ସୈାନ୍ଦର୍ଯ୍ୟକରଣ ନିମନ୍ତେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ .ନିରଞ୍ଜନ ରେଡ୍ଡି ଆଗେଇ ଆସିଥିବା ଜଣାପଡିଛି ।
କିମ୍ବଦନ୍ତୀ ଅନୁଯାୟୀ ବହୁ ବର୍ଷ ପୂର୍ବେ ଗ୍ରାମକୁ ଲାଗି ରହିଥିବା ପାହାଡ଼ର ଶୀର୍ଷରେ ଏହି ତ୍ରିନାଥ ମନ୍ଦିରରେ ବହୁ ସାଧୁସନ୍ଥ ମାନେ ରହି ପୁଜାର୍ଚ୍ଚନା କରି ଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏଠାକାର ପୁଜାର୍ଚ୍ଚନା ଲୋପ ପାଇଥିବା ବେଳେ ଚତୁଃପାର୍ଶ୍ଵରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଜଙ୍ଗଲରେ ପରିଣତ ହୋଇଯାଇଥିବା ଗ୍ରାମବାସୀ କହିଥିଲେ ।
ଏନେଇ ଗ୍ରାମବାସୀ ଏହାର ପୁନରୁଦ୍ଧାର ନିମନ୍ତେ ପ୍ରଶାସନକୁ ଅବଗତ କରାଇଥିଲେ । ଏହାପରେ ଓଡିଶା ବିଧାନସଭା ବାଚସ୍ପତି ଡା. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ନେତୃତ୍ୟରେ ବୁଧବାର ବ୍ଳକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା, କନିଷ୍ଠ ଯନ୍ତ୍ରୀ ପ୍ରେମଚାନ୍ଦ ମହାପାତ୍ର, ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏସ୍ .ଗାନ୍ଧୀ ଦୋରା ଉକ୍ତ ଅଞ୍ଚଳର ପରିଦର୍ଶନ କରିବା ସହ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂଆ ରୂପରେଖ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।
ଏହି ଅବସରରେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏହାର ଶୁଭାରମ୍ଭ ଦେଇଥିଲେ । ଏଥିସହ ମନ୍ଦିରର କାରୁକାର୍ଯ୍ୟ ଓ ଜନସାଧାରଣଙ୍କ ଗମନାଗମନର ସୁବିଧା ନିମନ୍ତେ କାର୍ଯ୍ୟକୁ ତ୍ବରାନ୍ବିତ କରି ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ଉଦ୍ୟମ ଜାରି ରହିବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ