ବ୍ରହ୍ମପୁର: ପୌର ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation (BeMC)) ପାଇଁ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ଦଳେଇ । ଦଳ ପକ୍ଷରୁ ବିଦ୍ଧିଭାବେ ତାଙ୍କର ନାମ ଘୋଷଣା କରାଯାଇଛି । ବ୍ରହ୍ମପୁର ମେୟର ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ଅନେକ ଦାୟିତ୍ଵକୁ ସୂଚାର ରୂପେ ସମ୍ପାଦନା କରିଛନ୍ତି ସଂଘମିତ୍ରା ।

ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳ ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି ସଂଘମିତ୍ରା । ଜିଲ୍ଲାରେ ମହିଳା ଶାଖାର ଜିଲ୍ଲା ସଭାନେତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ପୂର୍ବରୁ ୨୦୦୩ ମସିହାରେ ୱାର୍ଡ ମେମ୍ବର ଏବଂ ୨୦୦୮ ମହିହାରେ ମହାନଗର ନିଗମର କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିଲେ । ଏପରିକି ଦଳ ପକ୍ଷରୁ ମିଳିଥିବା କନ୍ଧମାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି । ଦଳ ପକ୍ଷରୁ ଯାହା ଦାୟିତ୍ଵ ଦିଆଯାଇଛି ତାହାକୁ ସେ ସୂଚାରୁରୂପେ ସମ୍ପାଦନା କରିଛନ୍ତି ।

ସେ ଆଇନ ଶିକ୍ଷା ସମାପ୍ତ କରିବା ସହ ଜଣେ ଉଚ୍ଚ ଶିକ୍ଷିତା ମହିଳା । ପୂର୍ବରୁ ଗଞ୍ଜାମ ଜିଲ୍ଲାର କଂଗ୍ରେସ ଦଳର ମହିଳା ସଭାନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତେବେ ପରେ ନବୀନଙ୍କ ଉପରେ ଆସ୍ଥା ରଖି ବିଜେଡି ଦଳରେ ସାମିଲ ହୋଇଥିଲେ । ଚଳିତବର୍ଷ ନିର୍ବାଚନରେ ଏଠାକାର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ସଂଘମିତ୍ରାଙ୍କୁ ପ୍ରାର୍ଥୀ ଚୟନ କରାଯାଇଛି । ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ