ବ୍ରହ୍ମପୁର: ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଫେରିଥିଲେ ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆ । କୋଭିଡ ପାଇଁ ବିଭିନ୍ନ କଳକାରଖାନା ବନ୍ଦ ହୋଇଯିବା ସହିତ ଛଟେଇ କାରଣରୁ ଭିଟାମାଟିକୁ ଫେରିଥିଲେ ପ୍ରବାସୀ ଶ୍ରମିକ । କୋରୋନା ଭୟ ଓ କର୍ମ ନିଯୁକ୍ତି ଅଭାବରୁ ଦୀର୍ଘଦିନ ଧରି ଘରେ ବସି ରହିବା ପରେ ଏବେ ପ୍ରବାସୀଙ୍କ ପାଇଁ ରୋଜଗାରର ପନ୍ଥା ପାଲଟିଛି ମନରେଗା ଯୋଜନା ।
ବ୍ଲକ ପ୍ରଶାସନ ଏବଂ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରି ପ୍ରବାସୀ ଶ୍ରମିକଙ୍କୁ ଯୋଗାଇ ଦିଆଯାଉଛି ଗୋଟିଏ ପରେ ଗୋଟିଏ କାର୍ଯ୍ୟ । ପୋଖରୀ ଖୋଳା ଠାରୁ ଆରମ୍ଭ କରି, ରାସ୍ତା ସଫା, ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି ଏହି ପ୍ରବାସୀ ଓଡିଆମାନେ । ଏତେ ଦିନ ପରେ କାମ ପାଇ ବେଶ ଖୁସି ଥିବା କହିଛନ୍ତି ପ୍ରବାସୀ ।

ସେପଟେ ଅଧିକରୁ ଅଧିକ ଯେପରି ପ୍ରବାସୀ ଓଡିଆ କାର୍ଯ୍ୟ ପାଇବେ ସେନେଇ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ଦେଖାଯାଇଛି । ମୁଖ୍ୟତଃ ପ୍ରବାସୀ ଶ୍ରମିକ ମାନେ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରାଯାଇ ପ୍ରତ୍ୟେକ ପରିବାରର ଯେପରି ଅଧିକରୁ ଅଧିକ ବ୍ୟକ୍ତି ବିଶେଷ ମନରେଗା ଯୋଜନାରେ କାର୍ଯ୍ୟ କରିବେ ସେନେଇ ଜବ କାର୍ଡ ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ମୋଟ ୨.୧୨ କୋଟି ଶ୍ରମ ଦିବସ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିରୁ ଅଦ୍ୟାବଧି ୪୨ ପ୍ରତିଶତ ପୂରଣ କରାଯାଇଥିବା କହିଛନ୍ତି ପ୍ରକଳ୍ପ ନିର୍ଦେଶକ ।
ସେପଟେ ଏଭଳି ସମୟରେ ମନେରଗା କାର୍ଯ୍ୟ କରି ଭଲ ପଇସା ରୋଜଗାର କରି ଖୁସି ବ୍ୟକ୍ତ କରିଛନ୍ତି ପ୍ରବାସୀମାନେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ