ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଏବଂ ଶାସ୍ତ୍ରିଜୀଙ୍କ ୧୧୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଛତ୍ରପୁର ସ୍ଥିତ ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ଭବନ ପରିସରରେ ଅବସ୍ଥାପିତ ସ୍ମୃତି ସ୍ତମ୍ଭ ନିକଟରେ ଉଭୟ ମହାପୁରୁଷଙ୍କ ଫଟୋରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ଉତ୍ସବରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଦିବସ ଅବସରରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ପୁରସ୍କାର ବିତରଣ କରାଯାଇଛି ।
ଅନ୍ୟପଟେ, ବ୍ରହ୍ମପୁର ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ରାମଲିଙ୍ଗମ ପୋଖରୀ ପାର୍ଶ୍ବରେ ଥିବା ଗାନ୍ଧୀ ପାର୍କ ଓ ଗାନ୍ଧୀ ନଗର ଛକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଠ ଅତିଥିମାନଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ବର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି. କିର୍ତ୍ତି ଓ୍ବାସନ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଜାତିର ଜନକ ମହାତ୍ମାଗାନ୍ଧିଜୀଙ୍କ ଉଭୟ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଗାନ୍ଦିଜୀଙ୍କ ଜୀବନ ଆଦର୍ଶ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଅତିଥିଗଣ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସହଯୋଗ କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ