ବ୍ରହ୍ମପୁର: ଗୁଣିଗାରେଡିକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ଶ୍ରୀ ରାମଚନ୍ଦ୍ରପୁର ପଞ୍ଚାୟତ ଅଧିନସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ରାମେୟାପଲ୍ଲୀ ଗ୍ରାମରେ ଜଣେ ବ୍ଯକ୍ତିଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ଗୋଟିଏ ପଟେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ଜାରି ରହିଥିବା ବେଳେ ସେପଟେ ପୋଲିସର ଗିରଫଦାରୀ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି ।
ସେପଟେ ଏହି ଘଟଣାରେ 14 ରୁ ଅଧିକ ଲୋକଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା କରାଯାଉଥିବା ନେଇ କହିଛନ୍ତି ଗଞ୍ଜାମ ଜିଲ୍ଲାର ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ତେବେ ପୋଲିସର ଅଧିକ ଗିରଫଦାରୀ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଥିବା ବେଳେ ସେପଟେ ପୋଲିସର ତଦନ୍ତ ପରେ ହିଁ ଏହି ଘଟଣାର ସ୍ଫଷ୍ଟ ଚିତ୍ର ମିଳିବ ବୋଲି କୁହାଯାଇଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ ରାମେୟାପଲ୍ଲୀ ଗ୍ରାମର 70 ବର୍ଷୀୟ ପି.ଭୀମା ରେଡି ଗତ କିଛି ଦିନ ଧରି ରାତ୍ର ସମୟରେ ଦୁଃସ୍ୱପ୍ନ ଦେଖିବା ପରେ ଏହାର ପ୍ରତିକାର କରିବା ପାଇଁ ବ୍ରହ୍ମପୁର ସହରର ଆଙ୍କୁଲି ସୁବାସ ନଗର ଦ୍ୱିତୀୟ ଲାଇନ୍ ଏନ୍.ଭେଙ୍କଟ ରମଣାଙ୍କ ନିଜ ଗ୍ରାମକୁ ଡକାଇ ଏହାର ପ୍ରତିକାର ପାଇଁ ପୁଜାର୍ଚ୍ଚନା କରିବାକୁ ସ୍ଥିର ହୋଇଥିଲା ।
ଯାହାକୁ ନେଇ ଶନିବାର ଏକ ମୋଟର ସାଇକେଲେ ଯୋଗେ ଏନ୍.ଭେଙ୍କଟ ରମଣା ନିଜର ଅନ୍ଯ ଜଣେ ସାଥୀ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଅଞ୍ଚଳର ପି.ଧବଳେଶ୍ୱର ରେଡ୍ଡିକୁ ନେଇ ଏକ ମୋଟର ସାଇକଲେ ଯୋଗେ ଗ୍ରାମରେ ପହଞ୍ଚିଥିଲେ । ଏପରିକି ପୂର୍ବ ଆଲୋଚନା ଅନୁଯାୟୀ ପି.ଭୀମା ରେଡିଙ୍କ ଘରେ ପୁଜାର୍ଚ୍ଚନା କରାଯିବା ପରେ ଗ୍ରାମବାସୀ ଏହି ଖବର ପାଇ ଗୁଣ୍ଡିଗାରେଡି ସନ୍ଦେହ କରି ଠେଙ୍ଗା ବାଡି ଧରି ପହଞ୍ଚି ସାମୁହିକ ଭାବରେ ମାଡମାରିବା ଯୋଗୁଁ ସେମାନେ ଭୟରେ ଗ୍ରାମ ଛାଡି ଯାଉଥିବା ସମୟରେ ଆକ୍ରମଣରେ ଗୁରୁତ୍ତର ହୋଇପଡିଥିଲେ ।
ଯେଉଁଥିରେ ଗୁରୁତର ଅବସ୍ଥାରେ ଏମ୍.କେ.ସି.ଜିକୁ ନିଆଯାଇଥିବା ବେଳେ ଏନ୍.ଭେଙ୍କଟ ରମଣାଙ୍କ ମୃତ୍ଯୁ ଘଟିଥିଲା । ଏହି ଘଟଣା ପରେ ଚମାଖଣ୍ଡି ଥାନାରେ 121/2021 ନାମରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । କିପରି ରହିଥିଲା ସଂପୃକ୍ତ ଘଟଣା ସେ ନେଇ ଅଧିକ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ