ବ୍ରହ୍ମପୁର: ଗଞ୍ଜାମରେ ବାଲି ଓ ଇଟା ପରିବହନ କରୁଥିବା ଟ୍ରିପର ଏବଂ ଟ୍ରାକ୍ଟର ମାଲିକ ମାନେ ବିଭିନ୍ନ କାରଣରୁ ନାନା ହଇରାଣ ହରକତ ହେଉଛନ୍ତି । ଏଥିଯୋଗୁଁ ପରିବହନ ବ୍ୟବସ୍ଥା ଗତ ଏକ ସପ୍ତାହ ଧରି ବନ୍ଦ ରହିଥିଲା । ଏହି ଅଭିଯୋଗ କ୍ରମେ ଶେଷରେ ପରିବହନ ସଂଘ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି ।
ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ବାଲି ଲିଜ ଧାରୀମାନେ ଆର ଏବଂ ୱାଇ ଫର୍ମ ଦେଉନଥିବାରୁ ବାଲି ପରିବହନ କରୁଥିବା ଟ୍ରିପର ଏବଂ ଟ୍ରାକ୍ଟର ମାଲିକ ମାନେ ଅସୁବିଧାରେ ପଡୁଥିବା ନେଇ ଆଲୋଚନା କରାଯାଇଥିଲା । ଆର ଏବଂ ୱାଇ ଫର୍ମ ଦିଆଯାଉନଥିବାରୁ ପୋଲିସ ସେମାନଙ୍କ ଗାଡି ଜବତ କରିବା ସହ ଜୋରିମାନା ପକାଇଛି । ଏଥି ସହ ଗାଡ଼ି ଚାଳକଙ୍କୁ ଗିରଫ କରୁଥିବା ଅଭିଯୋଗ ହୋଇଛି । ଗତ ଦୁଇ ମାସ ଧରି ଏଭଳି ଚାଲିଥିବାରୁ ଆସୋସିଏସନ୍ ପକ୍ଷରୁ ନିନ୍ଦା କରାଯିବା ସହିତ ବାଲି ଲିଜ ଧାରୀ ମାନେ ଟ୍ରକ ଓ ଟିପର ଠାରୁ ନିଜ ଟିକସ ବାବଦରେ ଦେୟ ନେଉଥିଲେ ମଧ୍ୟ ଏଥିରେ ସହଯୋଗ କରୁନାହାନ୍ତି। ସେହିପରି ଇଟା ପରିବହନ କଲେ ଜିଏସଟି ବିଲ୍ ମାଗାଯାଉଥିବା ବେଳେ ଇଟା ଭାଟିକୁ କିଛି କୁହାଯାଉନଥିବା କହିଛନ୍ତି ଟ୍ରିପର ଓ ଟ୍ରାକ୍ଟର ସଂଘ ।
ଏଭଳି ଘଟଣା ଯୋଗୁଁ ବହୁ ଟିପର ଓ ଟ୍ରାକ୍ଟର ମାଲିକ ଗାଡ଼ି ଚଳାଇବାକୁ ଭୟ କରୁଥିବା ବେଳେ କେତେକ ମାଲିକ କ୍ରୟ କରିଥିବା ଗାଡ଼ିର ରୁଣ ସୁଝିବା ମଧ୍ୟ କଷ୍ଟକର ହୋଇପଡିଛି। ଛତ୍ରପୁର ନିକଟରେ ବିରିପୁର, ହଂସପୁର , ବରଙ୍ଗ ଓ ବଡ଼ ମାଧପୁର ଠାରେ ବାଲି ଉତ୍ତୋଳନ ହେଉଥିବା ବେଳେ ଏବେ ବିରିପୁର ଓ ହଂସପୁର ଠାରେ ବାଲି ଉତ୍ତୋଳନ ହେଉଛି। ପୂର୍ବରୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ହେବା ପରେ ଫର୍ମ ଦିଆଯିବା ସହ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ