ବ୍ରହ୍ମପୁର: ଆସନ୍ତା ନଭେମ୍ବର ୨୭ରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧିନସ୍ଥ ୧୯ନଂ ଜିଲ୍ଲା ପରିଷଦ ପାଇଁ ହେବାକୁ ଯାଉଛି ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ନାମାଙ୍କନ ପତ୍ର ଦାଖଲ ପାଇଁ ଶନିବାର ଶେଷ ଦିନ ରହିଥିବା ବେଳେ, ବିଭିନ୍ନ ଦଳର ଦଳୀୟ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଛତ୍ରପୁରର ୧୯ନଂ ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ପାଇଁ ବିଜେଡି, ବିଜେପି, କଗ୍ରେସ ଓ ସିପିଆଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏହି ଜୋନ୍ ୬ଟି ଗ୍ରାମପଞ୍ଚାୟତ ଚମାଖଣ୍ଡି, ଲକ୍ଷ୍ମୀପୁର, ଶ୍ରୀରାମଚନ୍ଦ୍ରପୁର, ସୁନ୍ଦରପୁର, ନରେନ୍ଦ୍ରପୁର ଓ ଟାଙ୍ଗଣାପଲ୍ଲୀକୁ ନେଇ ଗଠିତ ହୋଇଛି । ଏହି ଆସନଟି ଅନୁସୂଚିତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହି ପଦବୀ ପାଇଁ ବିଜେଡିରୁ ପ୍ରମୋଦ କୁମାର ପ୍ରଧାନ, ବିଜେପି ପକ୍ଷରୁ ରଞ୍ଜିତ ପ୍ରଧାନ, କଂଗ୍ରେସ ପକ୍ଷରୁ ରବିନ୍ଦ୍ର ସେଠୀ ଓ ସିପିଆଇରୁ ଭାଗିରଥି ପ୍ରଧାନ ନିଜ ସମର୍ଥକ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ମୁଖ୍ୟତଃ ଏହି ଜୋନ୍ ରୁ ପୂର୍ବରୁ ବର୍ତ୍ତମାନର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ବେହେରା ବିଧାୟକ ହେବା ପରେ ଏହି ଜିଲ୍ଲା ପରିଷଦ ଜୋନଟି ଖାଲି ପଡ଼ିଛି। ତେଣୁ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ପୁଣିଥରେ ରାଜନୀତି ସରଗରମ ହୋଇ ପଡିଛି।
ସେପଟେ ଶାସକ ବିଜେଡିର ପ୍ରାର୍ଥୀପତ୍ର ଦାଖଲ ସମୟରେ ସ୍ଥାନୀୟ ବିଧାୟକ, ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁଙ୍କ ସହ ଦଳୀୟ ନେତବୃନ୍ଦ ଉପସ୍ଥିତ ଥିଲେ। ଅନ୍ୟପଟେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର, ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତିଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଅନ୍ୟପଟେ କଂଗ୍ରେସ ଏବଂ କମୁନିଷ୍ଟ ନେତା, ନିଜର ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ଥିଲେ।
ଆସନ୍ତା ୨୭ରେ ଗୋଟିଏ ଜିଲ୍ଲା ପରିଷଦ ସମେତ ଦୁଇଟି ପଞ୍ଚାୟତର ସମିତି ସଭ୍ୟ ଏବଂ ଗୋଟିଏ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହେବାକୁ ଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ