ବ୍ରହ୍ମପୁର: ମୋତେ ଓ ଡିମ୍ପଲକୁ ଗ୍ରହଣ କରିବ ନା ନାହିଁ ? ଯଦି କରୁନ ତାହାଲେ ମୋତେ ରିଜିନ କୁହ.... ବିବାହ ପାଇଁ ଶାଶୂଘର ଆଗରେ ଧାରଣାରେ ବସିଥିବା ଯୁବତୀ ତପସ୍ବୀନି ଦାଶ (ଡିମ୍ପଲ)ଙ୍କୁ ବୋହୂ ରୂପରେ ଗ୍ରହଣ କରିବା ପାଇଁ ଏଭଳି ନିଜ ବାପାଙ୍କୁ ଫୋନ ଯୋଗେ କହୁଛନ୍ତି ଡାକ୍ତର ସୁମିତ । ଯାହାର ଅଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହୋଇଛି (father son audio viral) । ଯେଉଁଥିରେ କି ଯୁବକ ଜଣଙ୍କ ତାଙ୍କ ବାପାଙ୍କୁ ଯୁବତୀ ଜଣଙ୍କ ସହ କାହିଁକି ବିବାହ କରିବାକୁ ମନା କରୁଛ ପ୍ରଶ୍ନ କରିଥିବା ବେଳେ ତାଙ୍କ ବାପା ତାଙ୍କୁ କହୁଛନ୍ତି ‘‘ଏଇଟା ତୋର ବୟସ ନୁହଁ, ତୋର ଡାକ୍ତରୀ ପାଠ ଶେଷ ହୋଇଛି ହେଲେ ଚାକିରୀ ହୋଇନାହିଁ’’ ।
ଏହା ମଧ୍ୟ ପଢନ୍ତୁ:-ଶାଶୂଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ଭେଟିଲା ସାମାଜିକ ସଂଗଠନ
ଏଭଳି ବିଭିନ୍ନ ଆଳ ଦେଖାଇ ପୁଅ ସୁମିତ୍ କୁମାରଙ୍କୁ ତପସ୍ବିନୀଙ୍କ ସହ ବିବାହ ପାଇଁ ବାପା ପ୍ରମୋଦ ସାହୁ ମନା କରୁଛନ୍ତି । ସେପଟେ ପୁଅ ସୁମିତ କିନ୍ତୁ ଡିମ୍ପଲଙ୍କୁ ଭଲ ପାଉଛନ୍ତି ଆଉ ତାଙ୍କୁ ହିଁ ବିବାହ କରିବା ଛଡା ଆଉ କାହା ହାତ ଧରିବେ ନାହିଁ ବୋଲି ରୋକଠୋକ ମନା କରିଦେଉଛନ୍ତି ।
ସୂଚନା ଅନୁଯାୟୀ ବ୍ରହ୍ମପୁର ସହରରେ ଦୀର୍ଘ ୫ ଦିନ ହେଲା ବୋହୂର ହକ ପାଇଁ ଶାଶୂଘର ଆଗରେ ଧାରଣା ଦେଇଛନ୍ତି ଯୁବତୀ ତପସ୍ୱୀନି ଦାଶ ବା ଡିମ୍ପଲ । ସେ ଧାରଣା ଦେବା ସହ ଗତ ଗୁରୁବାର ମଧ୍ୟ ମାଣ ବସାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଅଡିଓ ଭାଇରାଲ ଡିମ୍ପଲଙ୍କ ଘଟଣାରେ କି ମୋଡ ବଦଳାଉଛି ତାହା ସମୟ କହିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ