ବ୍ରହ୍ମପୁର: ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସ୍ଥିତି ପରଖିଲେ ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ପାତ୍ରପୁର ବ୍ଲକ୍ ଗସ୍ତ କରି ବିଦ୍ୟାଳୟ ରୂପାନ୍ତରୀକରଣ ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି(ସୋମବାର) ପାତ୍ରପୁର ବ୍ଲକର ଉପାନ୍ତ ଅଞ୍ଚଳ ତୁରୁବୁଡି, ବୁରୁତୋଳ, ବାରିଆ ପଥର ଭଳି ଅନେକ ଅଞ୍ଚଳ ଗସ୍ତ କରି ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ ଦିଗରେ ନିଆଯାଉଥିବା ଉନ୍ନୟନ କାର୍ଯ୍ୟଧାରାର ତଦାରଖ କରିଛନ୍ତି । ଏବଂ ତା ସହିତ ଏହାର ରୂପାନ୍ତର ଦିଗରେ କେଉଁ ସବୁ ପଦକ୍ଷେପ ଗୁଡିକୁ ପ୍ରାଥମିକତା ଦେବା ଆବଶ୍ୟକ ସେ ସମ୍ପର୍କରେ ଉପସ୍ଥିତ ଲୋକ ପ୍ରତିନିଧି, ଅଧିକାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଛନ୍ତି ।
ତେବେ ତୁରୁବୁଡି ଠାରେ ଥିବା ବିଦ୍ୟାଳୟ, ବାଦପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟ, ବୁରୁତୋଳ ଠାରେ ଥିବା ଆଦିବାସୀ ବିଦ୍ୟାପୀଠ ଏବଂ ଛାତ୍ରୀ ନିବାସର ଉନ୍ନତିକରଣ ଓ ରୂପାନ୍ତରୀକରଣ ଉପରେ ଆଲୋଚନା କରାଯାଇଥିଲା । ସେପଟେ ତୁରୁବୁଡି ଠାରେ ରହିଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିବା ସହ ସେଥିପାଇଁ କିଭଳି ନିଜକୁ ପ୍ରସ୍ତୁତ କରିବେ ସେ ସମ୍ପର୍କରେ ମାର୍ଗ ଦର୍ଶାଇଥିଲେ ।

ଗସ୍ତ ସମୟରେ ମହେନ୍ଦ୍ରଗିରି ଯିବା ପଥରେ ପଡୁଥିବା ବାରିଆ ପଥର ଠାରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କିପରି ପର୍ଯ୍ୟଟକମାନେ ଉପଭୋଗ କରିପାରିବେ ଓ ଏହା ପର୍ଯ୍ୟଟକଙ୍କର କେନ୍ଦ୍ରବିନ୍ଦୁ ପାଲଟିବ, ସେନେଇ ଅଧିକ ସୌନ୍ଦର୍ଯ୍ୟକରଣ ଏବଂ ଲୋକଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀର କିଭଳି ବିକାଶ ହୋଇ ପାରିବ, ସେନେଇ ମତାମତ ଦେଇଛନ୍ତି ।
ତେବେ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାଶ, ସହକାରୀ ଯନ୍ତ୍ରୀ ଶାରଦା ପ୍ରସନ୍ନ ଜେନା ଏବଂ ସଂପୃକ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ