ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କୋଭିଡ ନିୟମ ଉଲ୍ଲଘଂନ କରୁଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ଉଭୟ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏହାସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।
୯ ଟି ଦୋକାନ ,ଫ୍ୟାନ୍ସି ଷ୍ଟୋର , ଫାର୍ମା ଭଳି ସ୍ଥାନରେ ଚଢାଉ ହୋଇଛି । ପଞ୍ଚସୁତ୍ର ନିୟମକୁ ଖିଲାପ କରାଯାଉଥିବା ନେଇ ପ୍ରଶାସନ ପକ୍ଷରୁ ଏହାକୁ ସିଲ କରାଯାଇଛି । ମାସ୍କ ପରିଧାନ କରିନ ଥିବା ଅଥବା ସଠିକ୍ ଭାବରେ ମାସ୍କ ବ୍ୟବହାର କରିନଥିବା ୮୫ ଜଣଙ୍କ ଠାରୁ ୧୭ ହଜାର ଟଙ୍କା ଫାଇନ ମଧ୍ୟ ଆଦାୟ କରିଛି ।
୧୦୧ଟି ଗାଡିରୁ ୫୦ ହଜାର ପାଞ୍ଚ ଶହ ଟଙ୍କା ଚାଲାଣ କଟା ଯିବା ସହ ସାମାଜିକ ଦୂରତ୍ବ ପାଇଁ ଏକ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାରେ ମାସ୍କ ଉଲ୍ଲଙ୍ଘନକାରୀଙ୍କ ଠାରୁ ଏକ ଲକ୍ଷ ୫୧ ହଜାର ଟଙ୍କା ଫାଇନ ଆଦାୟ କରିଛି । ଗୋଟିଏ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ଚାରି ଜଣଙ୍କୁ ଗିରଫ କରିବା ସହ ୪୨୩୦ ଟଙ୍କା ଜବତ କରିଛି । ଚାରୋଟି ଅବକାରୀ ମାମଲାରେ ୬୬ ଲିଟର ଦେଶୀ ମଦ ଜବତ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ