ବ୍ରହ୍ମପୁର: ବ୍ରହ୍ମପୁରର ମନ୍ଦରାଜପୁର ଗାଁ ନିକଟରେ ବରଯାତ୍ରୀ ବସରେ ଲାଗିଲା ବିଦ୍ୟୁତ ତାର । 11 କେଭି ତାର ଲାଗି ଜଳିଗଲା ବସ । ଗାଡିରେ 60 ଜଣ ଥିବାବେଳେ ବର୍ତ୍ତମାନ ସୁଦ୍ଧା 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏସସିବି ମେଡିକାଲ ଆଣିବା ବାଟରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଦେବରାଜ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।
ସେହିପରି ଦୁର୍ଘଟଣାରେ 25 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । ତେବେ ଆହତଙ୍କ ମଧ୍ୟରେ 2 ଜଣ ଗୁରୁତର ଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଆହତଙ୍କୁ ସଠିକ୍ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ସିଲକସିଟି ନାମକ ଏକ ଘରୋଇ ବସ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକର ଡଙ୍କଲପାଡୁ ଗ୍ରାମରୁ ଚିକରଡ଼ାକୁ ଏକ ନିର୍ବନ୍ଧ ଭୋଜିକୁ ଯାଉଥିଲା । ମନ୍ଦରାଜପୁର ଗ୍ରାମ ନିକଟରେ ରାସ୍ତାରେ ଓହଳିଥିବା ଏକ ବିଦ୍ୟୁତ୍ ତାର ବସର ଛାତ ଉପରେ ଥିବା ଲୁହା ହୁକ୍ରେ ଲାଗିଥିଲା । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ