ବ୍ରହ୍ମପୁର: ତପ୍ତପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ । ବୁଧବାର ପୁଣି ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟିଥିବା ବେଳେ ଅଳ୍ପକେ ୪୫ ଜଣ ଯାତ୍ରୀ ବର୍ତ୍ତିଯାଇଥିବା ଜଣାପଡିଛି ।
ତେବେ ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟି ନିକଟରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟିଆସୁଛି । ଏହି କ୍ରମରେ ବୁଧବାର ବ୍ରହ୍ମପୁରରୁ ଗଜପତି ଜିଲ୍ଲା ଅଭିମୁଖେ ଯାଉଥିବା ଏକ ବସ ଖେମୁଣ୍ଡିଖୋଲ ଗ୍ରାମ ନିକଟସ୍ଥ ୩୨୬ ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ସେଠାରେ ଥିବା ଏକ ପୋଲକୁ ଧକ୍କା ଦେଇଥିଲା ।
ଏହି ଘଟଣାରେ ବସର ସାମାନ୍ୟ କ୍ଷତି ହୋଇଥିବା ବେଳେ କୌଶଳ କ୍ରମେ ବସରୁ ସମସ୍ତ ଯାତ୍ରୀ ଓହ୍ଲାଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ । ଫଳରେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ତେବେ ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟୁଥିବାରୁ ଗାଡି ଗୁଡିକର ବେଗ ସହିତ ବିଭିନ୍ନ ବିଷୟକୁ ଗୁରୁତ୍ବ ଦିଆଯିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ