ବ୍ରହ୍ମପୁର: ସମଗ୍ର ବିଶ୍ବର ଜାରି ରହିଛି କୋରୋନା ତାଣ୍ଡବ । ସଂକ୍ରମଣକୁ ରୋକିବା ପାଇଁ ବିଗତ ଦିନରେ ଦେଶରେ ତାଲାବନ୍ଦ କରିଥିଲେ ସରକାର । ଶିଳ୍ପଠୁ ଆରମ୍ଭ କରି ଶିକ୍ଷା, ପ୍ରତିଟି କ୍ଷେତ୍ରରେ ଲାଗିଥିଲା ତାଲା । ଫଳସ୍ବରୂପ ଏହି ମହାମାରୀ ଅନେକଙ୍କ ଜୀବନ ଜୀବିକା ଛଡାଇ ନେଇଥିଲା । ହଜାର ହଜାର ଲୋକ ବେରୋଜଗାର ହୋଇଯାଇଥିଲେ । ପ୍ରତିଟି ବ୍ୟବସାୟରେ ପଡିଥିଲା କୋରୋନା ପ୍ରଭାବ ।
ଯାହା ମଧ୍ୟରୁ ଅନ୍ୟତମ ଅଟେ ପୁସ୍ତକ ବ୍ୟବସାୟ । ଶିକ୍ଷାନୁଷ୍ଠାନ ବନ୍ଦ ହେବା ଯୋଗୁଁ ବର୍ତ୍ତମାନ ସମୟରେ ଅନଲାଇନ ପାଠ୍ୟକ୍ରମ ପାଲଟିଛି ଶିକ୍ଷାଦାନର ମାଧ୍ୟମ । ଯଦ୍ବାରା ପୂର୍ବଭଳି ପାଠକଙ୍କ ବୁକଷ୍ଟୋର ଆସିବା ବନ୍ଦ ହୋଇଯାଇଛି ଓ ଖୁବ ପ୍ରଭାବିତ ହୋଇଛି ପୁସ୍ତକ ବ୍ୟବସାୟ । ରେଶମ ସହର ବ୍ରହ୍ମପୁରର କ୍ଷତିଗ୍ରସ୍ତ କିଛି ପୁସ୍ତକ ବ୍ୟବସାୟୀ ନିଜର ଦୁଃଖ ବଖାଣିଛନ୍ତି ।
ଶିକ୍ଷାବର୍ଷ ଆରମ୍ଭରୁ ହିଁ ସଂକ୍ରମଣ ରୋକିବା ନେଇ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଥିଲା । ଯେ କେଇଟା ବି ବିଦ୍ୟାର୍ଥୀ ବୁକଷ୍ଟୋରକୁ ଆସୁଛନ୍ତି ସେମାନେ ନୂତନ ବହି ନ କିଣି କମ ଦରରେ ପୁରୁଣା ବହି କିଣୁଥିବା ଦେଖିବାକୁ ମିଳୁଛି । ଇତିମଧ୍ୟରେ ଅନଲାଇନରେ ପୁସ୍ତକ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଯାହାଫଳରେ ବ୍ରହ୍ମପୁର ସହରରେ ଥିବା ପୂରାତନ ବୁକଷ୍ଟୋରଗୁଡିକରେ ଚଳିତ ଥର ଶିକ୍ଷା ଓ ଶିକ୍ଷା ସମ୍ବନ୍ଧୀୟ ସାମଗ୍ରୀର ବିକ୍ରି ବହୁମାତ୍ରାରେ କମି ଯାଇଛି ।
ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ କୋରୋନା ପାଇଁ ବ୍ୟବସାୟର ଏକ ଚତୁର୍ଥାଂଶ ମଧ୍ୟ ହୋଇପାରି ନଥିବା କହିଛନ୍ତି ପୁସ୍ତକ ବ୍ୟବସାୟୀ । ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କରିବା କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ପାଇଁ ଖୁବ କଷ୍ଟସାଧ୍ୟ ସାଜିଛି ।
ବର୍ତ୍ତମାନ ଦେଶରେ ସ୍ଥିତି ସ୍ବାଭାବିକ ହେଉଛି । ଧୀରେ ଧୀରେ ପ୍ରତ୍ୟେକ କ୍ଷେତ୍ର ଖୋଲିଲାଣି । ରାଜ୍ୟରେ କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡିକୁ ଖୋଲାଯାଉଛି । ଏଣୁ ପିଲାମାନେ ପୁଣି ସ୍କୁଲ କଲେଜ ଯିବା ଆରମ୍ଭ କଲେ ବ୍ୟବସାୟ ସ୍ଥିତି ପୁଣି ସ୍ବାଭାବିକ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ