ବ୍ରହ୍ମପୁର: ମାର୍ଶଲ ଆର୍ଟ ପ୍ରତି ରେଶମ ସହର ବିଦ୍ୟାର୍ଥୀଙ୍କ ବଢୁଛି ଆଗ୍ରହ । ବିଦ୍ୟାର୍ଥୀମାନେ ପାଠପଢା ସହିତ ଅବଶିଷ୍ଟ ସମୟ ଏବେ ମାର୍ଶଲ ଆର୍ଟ ପ୍ରତି ମନୋନିବେଶ କରୁଛନ୍ତି। ଏନେଇ ରେଶମ ସହର ବ୍ରହ୍ମପୁରର ବିଦ୍ୟାର୍ଥୀମାନେ ନିଜର ଆତ୍ମ ସୁରକ୍ଷା ସହିତ ଫିଟ୍ ରହିବା ପାଇଁ ମାର୍ଶଲ ଆର୍ଟର ତାଲିମ ନେଉଛନ୍ତି । ସହରରେ ଥିବା ପେନକାକ୍ ସିଲଟ କେନ୍ଦ୍ରରେ ନିୟମିତ ଭାବରେ ଏହି ତାଲିମ ଦିଆଯାଉଛି । ମୁଖ୍ୟତଃ ଶାରୀରିକ ବ୍ୟାୟାମ ଠାରୁ ଆରମ୍ଭ କରି ବିଭିନ୍ନ କୌଶଳ ଶିଖାଉଛନ୍ତି ପ୍ରଶିକ୍ଷକ । ଯାହାକୁ ନେଇ ଅଭ୍ୟାସ କରୁଛନ୍ତି ଉଭୟ ଛାତ୍ରଛାତ୍ରୀ । କିକ୍, ପଞ୍ଚ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ନିଜର ଅଭ୍ୟାସ ଜାରି ରଖିଛନ୍ତି ବିଦ୍ୟାର୍ଥୀମାନେ । ତେବେ କିପରି ନିଜ ନିଜର ଆତ୍ମରକ୍ଷା ପାଇଁ କାର୍ଯ୍ୟ କରିପାରିବେ, ସେ ନେଇ ପ୍ରଶିକ୍ଷଣ ମାଧ୍ୟମରେ ଦିଆଯାଉଛି ଗୁରୁତ୍ବ ।
ମୁଖ୍ୟତଃ ବ୍ରହ୍ମପୁର ସହରରେ ପ୍ରଶିକ୍ଷଣ ଦିଆଯାଉଥିବା ଏହି ମାର୍ଶଲ ଆର୍ଟ ଇଣ୍ଡୋନେସିଆର ବୋଲି କୁହାଯାଇଥିବା ବେଳେ ବିଭିନ୍ନ ଆର୍ଟର ରହିଥିବା ସମସ୍ତ କୌଶଳକୁ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ଆଗ୍ରହର ସହିତ ଅଭ୍ୟାସ ଜାରି ରଖିଥାନ୍ତି । ମାର୍ଶଲ ଆର୍ଟ ତାଲିମ ପାଇଁ ୫ ବର୍ଷରୁ ୬୫ ବର୍ଷ ବୟସ୍କଙ୍କ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ଏହି ତାଲିମ ନେଉଥିବା ବିଦ୍ୟାର୍ଥୀମାନେ ପ୍ରଥମେ ଶାରୀରିକ ବ୍ୟାୟାମ ସହିତ ମାନସିକ ସ୍ତରରେ ସ୍ଥିରତା ଆଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ ।
ମାର୍ଶଲ ଆର୍ଟ ତାଲିମ ନେଉଥିବା ବିଦ୍ୟାର୍ଥୀଙ୍କୁ ମଧ୍ୟରୁ ଅନେକ ଇତି ମଧ୍ୟରେ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଅନେକ ସଫଳତା ଯେପରି ପାଇପାରିବେ, ସେ ନେଇ ବିଦ୍ୟାର୍ଥୀମାନେ ଉଦ୍ୟମ ଜାରି ରଖିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ