ବ୍ରହ୍ମପୁର: ଗଞ୍ଜାମରେ ପାର୍ବଣ ଠାରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଜାରି ରହିଥାଏ ଜୁଆଖେଳ । କେଉଁଠି ପରମ୍ପରାକୁ ନେଇ ତାସ ଖେଳ ଚାଲିଥିବା ବେଳେ ଆଉ କେଉଁଠି ଲକ୍ଷ ଲକ୍ଷ ଟଙ୍କାରେ ଚାଲିଥାଏ ଏହି ଜୁଆ ଆଡ୍ଡା । ତେବେ ଗତ ଦୁଇ ଦିନ ମଧ୍ୟରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବହୁ ପରିମାଣର ଜୁଆ ଆଡ୍ଡାକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।
କେବଳ ବ୍ରହ୍ମପୁର ପୋଲିସ ପକ୍ଷରୁ କୁମାରପୂର୍ଣ୍ଣମା ଅବସରରେ 6ଟି ଜୁଆ ଆଡ୍ଡାରେ ଚଢାଉ କରିଥିଲା । ସେଥିରୁ 50ଜଣଙ୍କୁ ଗିରଫ କରି ଦୁଇ ଲକ୍ଷ 10 ହଜାର 960 ଟଙ୍କା ସହ ୨୬ ମୋବାଇଲ, ଚାରୋଟି ମୋଟର ସାଇକଲେକୁ ଜବତ କରାଯାଇଛି ।
ମୁଖ୍ୟତଃ ବ୍ରହ୍ମପୁର ପୋଲିସ ଜିଲ୍ଲାର ବଡବଜାର, ଗୋଷାଣି ନୂଆଗାଁ, ଗୋଳନ୍ଥରା, ଗୋପାଳପୁର ଭଳି ଅଞ୍ଚଳରେ ଏହି ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା। ସେହିପରି ଗଞ୍ଜାମର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ 32ଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ 166 ଜଣଙ୍କୁ ଗିରଫ କରି 4ଲକ୍ଷ 79 ହଜାର 881 ଟଙ୍କା ଜବତ କରିଥିଲା ପୋଲିସ ।
ଏଭଳି ଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ବାରମ୍ବାର ଚଢାଉ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଜବତ ହେବା ସହ ବହୁ ଜୁଆଡିଙ୍କୁ ଗିରଫ କରିଛି ପୋଲିସ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ