ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି (MKCG) ମେଡ଼ିକାଲ କଲେଜ ପରିସରରେ ରୋଗୀଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିଲେ କିଛି ଦଲାଲ । ମେଡିକାଲ ପରିସରରେ ଦଲାଲ ଗିରି ଚଲାଇଥିବା ୭ଜଣ ଦଲାଲଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ସାଦା ପୋଷାକଧାରୀ ପୋଲିସ ଟିମ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଥରେ ଦଲଲାଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।
ଏମକେସିଜି ମେଡିକାଲର ବିଭିନ୍ନ ସ୍ଥାନରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିଲେ ଏହି ଦଲାଲ ଗୋଷ୍ଠୀ । ସରକାରଙ୍କ ପକ୍ଷରୁ ବିନା ଅର୍ଥରେ ଯୋଗାଇ ଦିଆଯାଉଥିବା ସେବା ପାଇଁ ସେମାନେ ଅର୍ଥ ଦାବି କରୁଥିଲେ । ମେଡିସେନ ଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ, ପାଥୋଲୋଜିକାଲ ସେବା ପାଇଁ ଘରୋଇ କ୍ଲିନିକ ଏବଂ ମେଡିସେନ ଷ୍ଟୋରକୁ ଏହି ଦଲାଲମାନେ ଲୋକଙ୍କୁ ନେଇ ଯାଉଥିବା ଅଭିଯୋଗ ଆସିଥିଲା । ଏହାପରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମଙ୍କ ନେତୃତ୍ବରେ ଏଭଳି ଦଲାଲଙ୍କୁ ଧରିବା ପାଇଁ ୧୫ ଜଣିଆ ପୋଲିସ ଟିମ ଗଠନ ହୋଇଥିଲା ।
ଏହା ବି ପଢନ୍ତୁ- ବେଆଇନ ଗୋଚାଲାଣ: ୫ଟି ପିକଅପ୍ ଭ୍ୟାନରୁ ୩୯ଗୋରୁ ଉଦ୍ଧାର, ୯ ଅଟକ
ପୋଲିସ ଅଧିକାରୀ ସାଧା ପୋଷାକରେ ବିଭିନ୍ନ ଗ୍ରାମାଞ୍ଚଳର ଯୁବକଙ୍କ ଭଳି ବିଭିନ୍ନ ସ୍ଥାନରେ ଉପସ୍ଥିତ ରହିଥିଲେ । ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଧାଡିରେ ରହି ଦଲାଲ ମାନଙ୍କୁ ବିଭିନ୍ନ ସ୍ଥାନରେ ଠାବ କରିବା ପରେ ପ୍ରାୟ ୭ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେପଟେ ଏଭଳି ୭ ଜଣ ଦଲାଲ ଧରାପଡି଼ବା ପରେ ଆଗାମୀ ଦିନରେ ମଧ୍ୟ ପୋଲିସ ଟିମ ଏଭଳି ଚଢାଉ ଜାରି ରଖିବ ବୋଲି କହିଛି । ସରକାରଙ୍କ ସୁବିଧାକୁ ସାଧାରଣ ଲୋକେ କିପରି ଉପଯୋଗ କରିପାରିବେ ସେ ଉପରେ ପୋଲିସ ଦୃଷ୍ଟି ଦେବ ବୋଲି କହିଛି ।
ବିନା ମୂଲ୍ୟରେ ସେବା ପାଇବାକୁ ରହିଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ବିଭିନ୍ନ ମେଡିସେନ ଷ୍ଟୋର ପକ୍ଷରୁ ଏଭଳି କରାଯାଉଛି । ମେଡିକାଲ ବାହାରେ ଅଲଟ୍ରାସାଉଣ୍ଡ ଟେଷ୍ଟ କରିବା ପାଇଁ ଲୋକଙ୍କୁ କିଛି ଦଲାଲ ଗୋଷ୍ଠୀ ନେଉଛନ୍ତି । ଏହାସହିତ ଓପିଡିରେ ଲମ୍ବା ଧାଡିରେ ଠିଆ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଧାଡ଼ି ଆଗକୁ ନେଇଯିବା କହି ଅର୍ଥ ଆଦାୟ କରୁଛନ୍ତି । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚଢାଉ ମାଧ୍ୟମରେ ସତର୍କ କରାଇ ଦିଆଯାଇଥିବା କହିଛନ୍ତି ବ୍ରହ୍ମପୁର ଏସପି । ପୋଲିସ ବିଭାଗର ଏଭଳି ଚଢାଉକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ ଏହାକୁ ନେଇ ଏକ ପ୍ରକାର ଦଲାଲମାନଙ୍କ ମଧ୍ୟରେ ଛନକା ପଶିଛି ।
ଇଟିଭି ଭାରତ, ବ୍ରହ୍ମପୁର