ବ୍ରହ୍ମପୁର: ଗତ ଦୁଇ ଦିନର ସଟଡାଉନ ପରେ ସୋମବାର ପୁଣି ଘରୁ ବାହାରିଛନ୍ତି ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାବାସୀ । ହେଲେ କଟକଣା ସତ୍ତ୍ବେ ରବିବାର ରାତ ସୁଦ୍ଧା ଜିଲ୍ଲାରେ 166 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ 2348 ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 1318 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଚେ 1010ଟି ମାମଲା ଏବେ ବି ସକ୍ରିୟ ରହିଛି ଓ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ବର୍ତ୍ତମାନ ପରିସ୍ଥିତିରେ ସଂକ୍ରମଣରୁ ସୁରକ୍ଷା ପାଇବାକୁ ହେଲେ ମାସ୍କ ବ୍ୟବହାରକୁ ଜିଲ୍ଲାରେ ବାଧ୍ୟତାମୂଳକ କରିବା ସହ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ନଯାଇ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଅପିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣରେ 20 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଥିଲେ 4ଜଣ ଆଗଧାଡିର କୋରୋନା ଯୋଦ୍ଧା । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ଅନୁରୋଧ କରିଛି ।
ସମସ୍ତ ନିୟମର ପାଳନ କରି ବ୍ୟବସାୟୀମାନେ ଦୋକାନ ବଜାର ଖୋଲିଥିବା ବେଳେ ସେଠାରେ କିପରି ସୁରକ୍ଷା ପଦକ୍ଷେପ କଡାକଡି ହେବ ତା ପ୍ରତି ପ୍ରଶାସନ କଡା ନଜର ରଖିଛି । ଯଦି କୌଣସି ବ୍ୟବସାୟୀ ସରକାରଙ୍କ ନିୟମ ଉଲଙ୍ଘନ କରୁଥିବା ଦେଖାଯାଏ ତେବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରାଯାଇଛି । ସେପଟେ ସହରରେ ପୂର୍ବରୁ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନ ଗୁଡିକରେ ଧିରେ ଧିରେ କଟକଣା କୋହଳ ହେଉଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ