ବ୍ରାହ୍ମପୁର: ଗାଁ ଗଣ୍ଡାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । ହେଲେ ଏବେ ବି ବିଶୁଦ୍ଧ ପାନୀୟରୁ ବଞ୍ଚିତ ଅଛନ୍ତି ଅନେକ ଗାଁ । କୋରୋନା କାଳରେ ଏମିତି କିଛି ସମସ୍ୟାର ସାମ୍ନା କରୁଛି ରେଶମ ସହରରେ ବିଭିନ୍ନ ଗାଁର ସାହିବାସିନ୍ଦା । ସହରକୁ ନିୟମିତ ୬୪ ଏମଏଲଡି ପାଣି ଆବଶ୍ୟକ ଥିବାବେଳେ ଜାନିବିଲି ଠାରୁ ଆରମ୍ଭ କରି ଦକ୍ଷିଣପୁର ଏବଂ ମାଧ୍ୟପୁର ଉତ୍ସରୁ ସହରକୁ ଆସୁଛି ୬୫ ଏମଏଲଡି ପାନୀୟ ଜଳ । ଆଉ ଏହି ପାନୀୟ ଜଳ ଲାଞ୍ଜିପଲ୍ଲୀ ଠୁ ଆରମ୍ଭ କରି ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ଦୂର କରିବାରେ କିଛି ମାତ୍ରାରେ ସଫଳ ହୋଇଥିବା କୁହନ୍ତି ସହରବାସୀ ।
ଅନ୍ୟପଟେ ସହରରେ ଏଲଆଣ୍ଡଟିକୁ ପାନୀୟ ଜଳ ବିଛାଇବା ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ, ଅନେକ ପରିବାରକୁ ଏକ ସ୍ବତନ୍ତ୍ର ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃକ କୁଲାଙ୍ଗେ । ସେପଟେ କୋଭିଡ ପାଇଁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କିଛିଟା ଧିମେଇ ଯାଇଥିବା ବେଳେ, ଏହି କାର୍ଯ୍ୟ ଶେଷ କରିବା ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ । ତେବେ ଜଳଯୋଗାଣ ସମୟରେ ହେଉଥିବା ଅପଚୟ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି ।
ବ୍ରହ୍ମପୁର ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଜାନିବିଲି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ, ଏହା ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଆଶା ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ