ବ୍ରହ୍ମପୁର: ଆସନ୍ତାକାଲି ହେବାକୁ ଯାଉଛି 2019 ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ଦିନ ରାଜ୍ୟର 4ଟି ଲୋକସଭା ସମେତ ଏହା ଅଧିନସ୍ଥ ବିଧାନସଭା ଆସନ ପାଇଁ ହେବେ ଭୋଟ ଗ୍ରହଣ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ଥରର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଛି।
2019 ନିର୍ବାଚନକୁ ନେଇ ବେଶ ତତ୍ପର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାର ବ୍ରହ୍ମପୁର ଲୋକସଭା ଏବଂ ଏହା ଅଧିନସ୍ଥ ବିଧାନସଭା ଆସନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ଭୋଟଗ୍ରହଣ। ମୋଟ ୧୧୧୭ଟି ବୁଥରେ ନିଜର ମତଦାନ ସାବ୍ୟସ୍ତ କରିବେ ଭୋଟର। ଏହି ଲୋକସଭା ଅଧିନରେ ଥିବା 7ଟି ବିଧାନସଭା ମଧ୍ୟରୁ 5ଟି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ।
ଆସନ୍ତାକାଲି ମତଦାନ ପାଇଁ ଏହି ଲୋକସଭା ଆସନ ଅଧିନସ୍ଥ ବିଧାନସଭା ଆସନ ଯଥା ଛତ୍ରପୁରରେ ୨୪୪ଟି, ଗୋପାଳପୁର ୨୦୮ଟି, ବ୍ରହ୍ମପୁର ୧୬୯ଟି, ଦିଗପହଣ୍ଡି ୨୫୫ଟି ଏବଂ ଚିକିଟି ୨୪୧ଟି ମତଦାନ କେନ୍ଦ୍ର ରହିଛି। ଏହି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ହେଉଛି ୧୦ଲକ୍ଷ ୭୨ ହଜାର ୨୪୨ । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୨୩ହଜାର ୫୯1 ହେଉଛନ୍ତି ମହିଳା ଭୋଟର। ଏହାକୁ ଛାଡି ୨୮,0୬୮ ଜଣ ସରକାରୀ କର୍ମଚାରୀ ରହିଥିବା ବେଳେ ୭୯ ଜଣ ତୃତୀୟ ଲିଙ୍ଗ ରହିଛନ୍ତି।
ସମସ୍ତ ପୋଲିଂ ବୁଥରେ ପୋଲିଂ ପାର୍ଟି ନିର୍ବାଚନା ପରିଚାଳନା ପାଇଁ ପହଞ୍ଚି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ୭୩୦୩ଜଣ ପୁରୁଷ ଏବଂ ୭୦ ଜଣ ମହିଳା କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି ଭାବେ 2019 ନିର୍ବାଚନ ପାଇଁ ୧୧୪ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଥିବା ବେଳେ, ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଁଏ ପିଙ୍କ୍ ବୁଥ ରହିବ । ଯାହା ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ମୋଟ ୧୫୧୯ ଗାଡିର ବ୍ୟବହାର କରାଯାଇଛି।
ଅନ୍ୟପଟେ ୨୦, ୭୭୯ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୧୧୧୭ଟି ହ୍ୱିଲଚେୟାର ଏବଂ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ୫୯୦ଟି ବାଲାଟ ପେପରର ବ୍ୟବସ୍ଥା କରାଯାଇଛି। ବୟସ୍କ ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ରରେ ପହଞ୍ଚାଇବା ପାଇଁ ୨୨୩୪ଟି ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ସୁରକ୍ଷା ଦୃଷ୍ଟି କୋଣରୁ ଗଞ୍ଜାମ ଜିଲ୍ଲାରେ ୬୨୬ଟି ବୁଥକୁ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଭାବେ ଚିହ୍ନଟ କରାଯାଇଛି।
ସେଥିମଧ୍ୟରୁ ୧୧୪ଟି ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳକୁ ମୃତୟନ କରାଯିବା ସହ, ୧୦୨ଟି ବୁଥରୁ ୱେବ କାଷ୍ଟ, ୫୧ଟିରେ ସିସିଟିଭି, ୩୫ଟିରେ ମାଇକ୍ରୋ ଅବର୍ଜରଭର ଏବଂ ୫୭ଟିରେ ଭିଡିଓଗ୍ରାଫି କରିବାକୁ ନିଷ୍ପତ୍ତି ହୋଇଛି। ଏପରିକି ୨୦୧ଟି ବୁଥରେ ପୋଲିସ ଏବଂ ମାଜିଷ୍ଟ୍ରଟଙ୍କ ଯୁଗ୍ମ ଅନୁଧ୍ୟାନ ପରେ ସେଗୁଡିକରେ କୁଇକ ଆକ୍ସନ ସହ ପୋଲିସ ମୋବାଇଲ ପାର୍ଟି ଭୋଟଦାନ ସମୟରେ ନଜର ରଖିବ।
ସମ୍ବେଦନଶୀଳ ବୁଥ ମଧ୍ୟରେ ଛତ୍ରପୁରରେ ୬୪ଟି, ଗୋପାଳପୁରରେ ୩୩ଟି, ବ୍ରହ୍ମପୁରରେ ୧୮ଟି, ଚିକିଟିରେ ୪୨ଟି, ଦିଗପହଣ୍ଡିରେ ୪1ଟି ବୁଥ୍ ଥିବାର ଜଣାପଡିଛି । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ସକାଳ ସାଢେ ୫ଟାରେ ସମସ୍ତ ବୁଥର ପ୍ରଥମେ ମକପୋଲ କରାଯିବ । ଏହା ପରେ ଆରମ୍ଭ ହେବେ ମତଦାନ । ଖରା ଅଧିକ ହେଉଥିବାରୁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପାଣି ସହ, କୌଣସି ସମସ୍ୟା ଉପୁଜିଲେ ଭୋଟର ସହାୟତା କେନ୍ଦ୍ର ସହ ଯୋଗାଯୋଗ କରିବାକୁ ଜଣାଇ ଦିଆଯାଇଛି। ଏନେଇ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ରହ୍ମପୁରର ସମୀର ଆଚାର୍ଯ୍ୟ, ଈଟିଭି ଭାରତ