ମୟୂରଭଞ୍ଜ: ସମ୍ନାକୁ ଆସିଛି ସ୍ବାସ୍ଥ୍ୟ ସେବା ବିଫଳତାର ଆଉ ଏକ ନଗ୍ନଚିତ୍ର । ଆଦିବାସୀ ବହୁଳ ମୟୂରଭଞ୍ଜରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ପ୍ରସୂତି ବେଦନାରେ ଗର୍ଭବତୀ ମହିଳାଙ୍କୁ ଆଣୁଥିବା ବେଳେ ରାସ୍ତାରେ ଆମ୍ବୁଲାନ୍ସର ତେଲ ସରିଯିବାରୁ ପହଞ୍ଚାଇ ପାରିନଥିଲା ହସ୍ପିଟାଲରେ । ଫଳରେ ରାସ୍ତାରେ ଗଲା ମା-ଛୁଆଙ୍କ ଜୀବନ । ଏଭଳି ଦୁଃଖନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷିରେ ।
ସୂଚନା ମୁତାବକ, ବାଙ୍ଗରିପୋଷି ଥାନା ଅଧିନ ହାଣଦା ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ଗର୍ଭବତୀ ତୁଳସୀ ମୁଣ୍ଡା ଗତକାଲି (ଶୁକ୍ରବାର) ପ୍ରସୂତି ବେଦନା ହେବାରୁ ବାଙ୍ଗରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପ୍ରସୂତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରସୂତିଙ୍କୁ ଆଜି(ଶନିବାର) ବାରିପଦା ପିଆରଏମ ମେଡିକାଲକୁ ନେବାପାଇଁ କହିଥିଲେ ଡାକ୍ତର । ମାତ୍ର ଗର୍ଭବତୀଙ୍କୁ ନେବାପାଇଁ କୌଣସି ସରକାରୀ ସୁବିଧା ଯୋଗେଇ ଦେଇନଥିଲା ସ୍ବାସ୍ଥ୍ୟ ବିଭାଗ । ଶେଷରେ ବାଧ୍ୟ ହୋଇ ଏକ ଘୋରଇ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ଆଣିଥିଲେ ପରିବାର ଲୋକେ । ହେଲେ ରାସ୍ତାରେ ଆମ୍ବୁଲାନ୍ସର ତେଲ ସାରିଯାଇଥିଲା ।
ତେବେ 2 ଘଣ୍ଟା ଅପେକ୍ଷା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଆଣିଥିଲେ ବାରିପଦା ମେଡିକାଲକୁ । ଶେଷରେ ମେଡିକାଲରେ ତାଙ୍କୁ ମୃତ ଘୋଷିତ କରିଥିଲେ ଡାକ୍ତର । ପରେ ମୃତ ଗର୍ଭବତୀଙ୍କୁ ପୋଷ୍ଟମର୍ଟମ କରି ମହା ପ୍ରୟାଣ ଗାଡିରେ ପଠେଇ ଦେଇଛି ସ୍ବାସ୍ଥ୍ୟ ବିଭାଗ ।
ମୟୂରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ