ବାରିପଦା: ଜିଲ୍ଲାର କୁଳିଅଣା ବ୍ଲକ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହଳଦିଆ ବନ୍ଧ ପୁନରୁଦ୍ଧାର ପାଇଁ ପ୍ରଶାସନ ଅକ୍ଟୋବର 23 ତାରିଖରେ ରାତିଅଧିଆ 35ରୁ ଉର୍ଦ୍ଧ୍ବ ପରିବାରକୁ ଜବରଦଖଲ ଉଚ୍ଛେଦ କରିଥିଲା । ମାତ୍ର ଏମାନଙ୍କ ପାଇଁ କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା କରିନଥିଲା ପ୍ରଶାସନ । ଆଉ ଏବେ ଲଗାଣ ଲଘୁଚାପ ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏହି ବିସ୍ଥାପିତ ପରିବାର । ଯାହାକୁ ନେଇ ଏମାନଙ୍କ ଭିତରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ ।
ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ କେଉଟୁଣିମାରି ପଞ୍ଚାୟତ ଅଧିନରେ ଥିବା ହାତୀମଡା, ରଙ୍ଗିବେଡା, ଦରଦରା ଏବଂ ନଦୁବଣୀ ଗ୍ରାମର ଶତାଧିକ ପରିବାରଙ୍କୁ ବାସହୀନ କରିଛି ପ୍ରଶାସନ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ଏହି ହଳଦିଆବନ୍ଧର ପୁନରୁଦ୍ଧାର ପାଇଁ କରାଯାଇଥିଲା ଏହି ଉଚ୍ଛେଦ ପକ୍ରିୟା । ଆଉ ଏବେ ଏମାନେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି । ମୁଣ୍ଡ ଉପରେ ନା ଅଛି ଛାତ ନା ଖାଇବା ପାଇଁ ଖାଦ୍ୟ ।
ତେବେ ଏନେଇ ବିସ୍ଥାପିତ ପରିବାରଙ୍କୁ ଭେଟିଥିଲେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ । ସାଂସଦ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନିନ୍ଦନୀୟ ବୋଲି କହିଥିବା ବେଳେ ଏନେଇ ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ