ବାଲେଶ୍ବର: ଭୁଲ ଅପରେସନ ଯୋଗୁ ହୋଇଗଲା କ୍ୟାନ୍ସର। ଦଲାଲ ହାତରେ ପଡିବା ଏମିତି ତଳିତଳାନ୍ତ କରାଇଛି। ନ୍ୟାୟ ଦାବିରେ ଉପଜିଲ୍ଲାପାଳ ଅଫିସ ଆଗରେ ପୁରା ପରିବାର ଧାରଣା ଦେଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ।
ବାଲେଶ୍ବର ଜିଲ୍ଲାର ଔପଦା ବ୍ଲକ ପ୍ରତାପଡା ଗ୍ରାମର ଜୟକୃଷ୍ଣ ରାଉତଙ୍କ ପୁଅ ଶଶୀକାନ୍ତଙ୍କ 2015 ମସିହାରେ ଦାନ୍ତ ମୂଳରେ କଷ୍ଟ ଅନୁଭବ ହୋଇଥିଲା । ସେହିଗ୍ରାମର ଆଦିକନ୍ଦ ବେହେରା ନାମକ ଯୁବକ କଟକ ବଡ ଡାକ୍ତରଖାନାରେ ଡେଣ୍ଟାଲ ବିଭାଗରେ ପିଅନ ଅଛନ୍ତି । ସେ ଶଶିକାନ୍ତଙ୍କୁ ନେଇ ସଦାବ ଅଲ୍ଲୀ ନାମକ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସରକାରୀ ଡାକ୍ତରଖାନାରେ ଅପରେସନ ନକରି ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଅପରେସନ କରିଥିଲେ । ତ୍ରୁଟିପୂର୍ଣ୍ଣ ଅପରେସନ ପାଇଁ ପୁଣିଥରେ ଅପରେସନ ହେବାକୁ ପଡିଥିଲା । ଏପରିକି ମୁହଁରେ ତାଙ୍କର ଘା ସୃଷ୍ଟି ହୋଇଥିଲା । ପରେ ଅନ୍ୟ ଏକ ଡାକ୍ତରଙ୍କୁ ପରାମର୍ଶ କରିବାରୁ ପରୀକ୍ଷା ପରେ ତାଙ୍କୁ କ୍ୟାନ୍ସର ହୋଇଯାଇଥିବା ଜଣାପଡିଥିଲା ।
ତେବେ ଏଭଳି ଆହୁରି ତିନିଥର ଅପରେସନ ପରେ ମଧ୍ୟ ଭଲ ହୋଇନଥିଲା । ଖର୍ଚ୍ଚରେ ତଳି ତଳାନ୍ତ ହୋଇ ଯିବାପରେ ପରିବାର ଏବେ ଚଳିବା କଷ୍ଟକର ହୋଇଯାଇଛି । ଏନେଇ ଉପଜିଲ୍ଲାପାଳ, ଜିଲ୍ଳାପାଳ, ମାନବ ଅଧିକାର କମିଶନ,ରାଜ୍ୟ ସରକାରଙ୍କୁ ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନି । ତେଣୁ ସୋମବାର ପୀଡିତ ଶଶିକାନ୍ତ ପରିବାରକୁ ନେଇ ନ୍ୟାୟ ଭିକ୍ଷାରେ ନୀଳଗିରି ଉପଜିଲ୍ଲାପାଳ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ