ବାଲେଶ୍ବର: ଜିଲ୍ଲାରେ ମଙ୍ଗଳବାରଠାରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ସୋମବାର ଜିଲ୍ଲାପାଳ ଏକ ସମ୍ବାଦିକ ସମ୍ମିଳନୀ କରାଇବା ସହ ଏଥିରେ ଆଗାମୀ ନିର୍ବାଚନୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, 2 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପରେ 10 ତାରିଖରେ ଯାଞ୍ଚ ଏବଂ 12 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ । 12 ତାରିଖ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ସେହପରି 29 ତାରିଖ ସକାଳ 7ରୁ ସନ୍ଧ୍ୟା 6ଟା ଯାଏଁ ଭୋଟ ଗ୍ରହଣ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଜିଲ୍ଲାରେ ସମୁଦାୟ 1887ଟି ବୁଥ ହୋଇଥିବାବେଳେ ସେଥି ମଧ୍ୟରୁ 255ଟି ସମ୍ବେଦନଶୀଳ ବୁଥ ରହିଛି । ଏହାସହ ଏଥର ନିର୍ବାଚନରେ ମହିଳା କର୍ମଚାରୀଙ୍କ ପାଇଁ 91ଟି ପିଙ୍କ୍ ବୁଥ ବ୍ୟବସ୍ଥା କରାଯାଇଛି । ସମସ୍ତ ବୁଥରେ 14 ହଜାର 715ଜଣ ମାନବ ସମ୍ବଳ ମୁତୟନ ହେବାକୁ ଥିବାବେଳେ ମହିଳା ଅଧିକାରୀଙ୍କ ସଂଖ୍ୟା 2500 ଥିବା ସୂଚନା ମିଳିଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ପିଛା 3ଟି ସର୍ଭିଲେନ୍ସ ଓ 3ଟି ଫ୍ଲାଇଂ ସ୍କ୍ବାର୍ଡ ଟିମ ଗଠନ କରାଯାଇଛି । ଏହି ଟିମରେ ପୋଲିସ ସହ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ମୁତୟନ ହେବେ ।
ଏହାସହ ରାଜନୈତିକ ଦଳଙ୍କ ପାଇଁ ସିଙ୍ଗଲ ଝରକା ମାଧ୍ୟମରେ ରାଲି, ଡାକବାଜି ଯନ୍ତ୍ର, ସଭାସମିତି ପାଇଁ ଅନୁମତି ପ୍ରଦାନ ବ୍ୟବସ୍ଥା କରାଯାଇଛି । ବାଲେଶ୍ବର ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 4ଜଣ ପର୍ଯ୍ୟବେକ୍ଷକ, 3ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ 2ଜଣ ପୋଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ