ETV Bharat / city

ରୋଗ ପାଇଁ ଚାକିରିରୁ ହେଲେ ନିଲମ୍ବିତ ! ପେଟ ପାଟଣା ପାଇଁ ଚିନ୍ତାରେ ଗୃହରକ୍ଷୀ - ଗୃହରକ୍ଷୀ ଅଜୟ କୁମାର ମହାନ୍ତିଙ୍କ ଅକୁହା କାହାଣୀ

ଜଣେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସାରୁପଦା ଗାଁର ଅଜୟ କୁମାର ମହାନ୍ତି । ହେଲେ ହଠାତ ସେ କିଡନୀ ରୋଗରେ ପୀଡିତ ହୋଇ ୨ଟି କିଡନୀ ହରାଇ ବସିଲେ । ତଥାପି ହାର ନ ମାନି କାମ କରୁଥିଲେ । ଏଭଳି ଅସମୟରେ ତାଙ୍କୁ ଚାକିରିରୁ କରାଯାଇଛି ନିଲମ୍ବିତ । ଗୋଟେପଟେ ରୋଗ ଯନ୍ତ୍ରଣା ଓ ଅନ୍ୟପଟେ ଚାକିରିରୁ ଛଟେଇ ପରେ ଏବେ ପରିବାର ପ୍ରତିପୋଷଣ ଚିନ୍ତାରେ ଅଣନିଶ୍ବାସୀ ଅଜୟ । ଦେଖନ୍ତୁ ଏହି ରିପୋର୍ଟ

ରୋଗ ପାଇଁ ଚାକିରିରୁ ହେଲେ ନିଲମ୍ବିତ, ପେଟ ପାଟଣା ପାଇଁ ଚିନ୍ତାରେ ଗୃହରକ୍ଷୀ
ରୋଗ ପାଇଁ ଚାକିରିରୁ ହେଲେ ନିଲମ୍ବିତ, ପେଟ ପାଟଣା ପାଇଁ ଚିନ୍ତାରେ ଗୃହରକ୍ଷୀ
author img

By

Published : Apr 25, 2022, 6:20 PM IST

ବାଲେଶ୍ବର: ହସଖୁସିରେ ଚାଲିଥିଲା ସୋର ବ୍ଲକ ସାରୁପଦା ଗାଁର ଅଜୟ କୁମାର ମହାନ୍ତିଙ୍କ ପରିବାର । ଛୋଟିଆ ଚାକିରିଟିଏ ହେଲେ ବି ବେଶ ଶାନ୍ତିରେ ରହୁଥିଲେ ସେ । ଜଣେ ଗୃହରକ୍ଷୀ ଭାବେ ନିଜର ଦାୟିତ୍ୱ ତୁଲାଉଥିବା ବେଳେ ସମୟ ତାଙ୍କ ଉପରେ ସାଜିଥିଲା ଦାଉ । ହଠାତ ଜଣାପଡିଥିଲା ଯେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । କିଡନୀ ରୋଗ ପାଇଁ ଡାକ୍ତରଙ୍କ ପାଖକୁ ଦୌଡୁଥିବା ବେଳେ ଏପଟେ ଡ୍ୟୁଟି କରି ନ ପାରିବାରୁ ଉପରିସ୍ଥ ଅଧିକାରୀ ତାଙ୍କୁ ନିଲମ୍ବିତ କଲେ । ଗୋଟେପଟେ ରୋଗ ଯନ୍ତ୍ରଣା ଓ ଅନ୍ୟପଟେ ଚାକିରୀରୁ ଛଟେଇ ପରେ ଏବେ ସେ ନିସ୍ବ ହୋଇ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି ।

ରୋଗ ପାଇଁ ଚାକିରିରୁ ହେଲେ ନିଲମ୍ବିତ, ପେଟ ପାଟଣା ପାଇଁ ଚିନ୍ତାରେ ଗୃହରକ୍ଷୀ



ଦୀର୍ଘ ବର୍ଷ ହେବ ସୋର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟକରୁଥିଲେ ଅଜୟ । ଦୈନିକ ୩ଶହ ଟଙ୍କା ହାରରେ ଦରମା ପାଇ ଦୁଃଖେ ସୁଖେ ପରିବାର ଚଳାଉ ଥିଲେ ମାତ୍ର ୨୦୨୦ ମସିହାରେ କୋଭିଡ୍ ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଡାକ୍ତରୀ ପରୀକ୍ଷା କରିବା ପରେ ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଥିବା ଜଣା ପଡ଼ିଥିଲା । ଅନ୍ୟପଟେ ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ଫେବୃଆରୀ ୧୬ ତାରିଖ ଦିନ ବାଲିଆପାଳରେ ତାଙ୍କର ଡ୍ୟୁଟି ପଡିଥିଲା । ମାତ୍ର ଅସୁସ୍ଥତା କାରଣରୁ ଆଇଆଇସିଙ୍କୁ ଜଣାଇ ସୋର ଥାନାରେ ଡ୍ୟୁଟି କରିଥିଲେ । ମାତ୍ର ନିର୍ବାଚନୀ ଡ୍ୟୁଟିରେ ଯୋଗ ନଦେବା କାରଣ ଦର୍ଶାଇ ବାଲେଶ୍ୱର ଏସ.ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ବୋଝ ଉପରେ ନଳିତା ବିଡ଼ା ସଦୃଶ ଏବେ ଅଜୟଙ୍କ ଦୁଃଖ ଦ୍ବିଗୁଣିତ ହୋଇଛି । ପରିବାରରେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ପେଟ ଚିନ୍ତା ଥିବାବେଳେ ଚିକିତ୍ସା ପାଇଁ ମାସକୁ ସାତରୁ ଆଠ ହଜାର ଟଙ୍କା ଆବଶ୍ୟକ ହେଉଛି । ଏମିତି ପରିସ୍ଥିତିରେ ପୁରା ପରିବାର ଏବେ ଭାଙ୍ଗିପଡିଛି ।



ଗୋଟିଏ ପଟେ ରୋଗ ଦାଉ ସାଧୁଥିବା ବେଳେ ଅନ୍ୟପଟେ ବୋଝ ଉପରେ ନଳିତା ବିଡା ସାଜିଛି ଅର୍ଥ । ଏମିତି ପରିସ୍ଥିତିରେ ଯେଉଁ ବିଭାଗରେ କାର୍ଯ୍ୟ କରୁଥିଲେ ସେଥିରୁ ମଧ୍ୟ ନିଲମ୍ବିତ ହେବାକୁ ପଡିଛି । ସ୍ତ୍ରୀ ଗୋଟିଏ କିଡନୀ ଦେବାକୁ ଚାହୁଁଥିବା ବେଳେ ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ ହେବାର ରହିଛି । ଗୃହରକ୍ଷୀ ସଂଘ ପକ୍ଷରୁ ତାଙ୍କୁ ଭେଟି ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଏହା ଭିତରେ ଡାଇଲେସିସ ମଧ୍ୟ କରିବାକୁ ପଡୁଛି । ଏହାରି ଭିତରେ କୌଣସି ସରକାରୀ କିମ୍ବା ବେସରକାରୀ ସ୍ତରରେ ସହଯୋଗ ଲୋଡିଛନ୍ତି ପରିବାର । ଯଦି ଅଜୟଙ୍କୁ ସହାୟତାର ହାତ ବଢାଇବାକୁ କେହି ଚାହୁଁଛନ୍ତି, ତେବେ ୯୬୬୮୧୦୩୮୬୪ ନଂରେ ଯୋଗାଯୋଗ କରିପାରିବେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.