ବାଲେଶ୍ବର: ପୁଅକୁ ବଞ୍ଚାଇବା ପାଇଁ ନେହୁରା ହେଉଛି ବାପା । ପୁଅକୁ ବଞ୍ଚାଇବାକୁ ଜିଲ୍ଲାପାଳଙ୍କ ନିକଟରେ ନେହୁରା ହେଉଛି ବାପା । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତୁଡ଼ିଗଡ଼ିଆ ବେଲଦା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଚିତ୍ର । ଟ୍ରଲି ଚଳାଇ ପରିବାରର ପେଟ ପୋଷୁଛନ୍ତି ଗାଁର ସୁରେନ୍ଦ୍ର ନାୟକ । ୪ଟି ପ୍ରାଣୀଙ୍କୁ ନେଇ ତାଙ୍କ ପରିବାର । ପୁଅ ରୋଜଗାର କରିବା ପରେ ପରିବାରରେ ଆର୍ଥିକ ଅବସ୍ଥା ସୁଧୁରିବାରେ ଲାଗିଥିଲା ।
ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ବାହାରେ କାମ କରିବା ସମୟରେ ରକ୍ତ କର୍କଟରେ ପୀଡ଼ିତ ହୋଇଥିଲେ ସୁରେନ୍ଦ୍ରଙ୍କ ପୁଅ କୈଳାସ । କୈଳାସଙ୍କ ଚିକିତ୍ସା ପାଇଁ ଘରେ ଥିବା ସଞ୍ଚିତ ଅର୍ଥ ସହ ଧାରକରଜ ଟଙ୍କା ଖର୍ଚ୍ଚ କରି ସାରିଲେଣି ସୁରେନ୍ଦ୍ର । ହେଲେ ଏହା ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ଏଥିପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତା ଲୋଡ଼ିଛନ୍ତି କୈଳାସଙ୍କ ବାପା ।
ଭଲ ଦି ପଇସା ରୋଜଗାର କରି ପରିବାର ପୋଷୁଥିଲେ କୈଳାସ । କିଛିଦିନ ବିଦେଶରେ ରହିବା ପରେ କୈଳାସଙ୍କ ଦେହ ଅସୁସ୍ଥ ହୋଇଥିଲା । ସେ ସେଠାରୁ ନିଜ ଗାଁକୁ ପଳାଇ ଆସିଥିଲେ । ଧାର କରଜ କରି କୈଳାସଙ୍କୁ ବାପା ସୁରେନ୍ଦ୍ର ଡାକ୍ତରଙ୍କୁ ଦେଖାଇବା ପରେ କୈଳାସ ରକ୍ତ କର୍କଟରେ ଆକ୍ରାନ୍ତ ବୋଲି ରିପୋର୍ଟ ଆସିଥିଲା। ଏହା ଜାଣିବା ପରେ ପରିବାରର ପାଦ ତଳୁ ଯେଭଳି ମାଟି ଖସି ପଡ଼ିଥିଲା ।
ଏଭଳି ସ୍ଥିତିରେ ଏବେ ସୁରେନ୍ଦ୍ର ଓ ତାଙ୍କ ପରିବାର ଭଗବାନଙ୍କ ଭରସାରେ ରହିଛନ୍ତି । A / C No – 31436663145 ( State bank of India ) IFSC – SBIN OOO6129 କିମ୍ବା Phone pay ଓ Google pay ନମ୍ବର 8144064554 ସହୃଦୟ ବ୍ୟକ୍ତି ସୁରେନ୍ଦ୍ରଙ୍କୁ ସହାୟତା ଯୋଗାଇ ଦେଇପାରିବେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ