ବାଲେଶ୍ବର: ଉପକୂଳ ଓଡିଶାକୁ ପୁରା ଦୋହଲାଇ ଦେଇଛି ‘ଫନି’ । ଆଉ ଏଥିରୁ ବାଦ ପଡିନି ବାଲେଶ୍ବର । ଯଦିଓ ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ ପରି ବାଲେଶ୍ବରରେ ଏହା ଏତେ ଶକ୍ତିଶାଳୀ ନଥିଲା, ତଥାପି ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଉ ଏବେ ସ୍ଥିତି ସ୍ବଭାବିକ କରିବାର ବେଳ । ଫୁଲ ଦମରେ ଲାଗିଛି ପ୍ରଶାସନ ।
ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରେ ପଡିଥିବା ଗଛ ସବୁ ସଫା କରାଯାଉଛି । ଏଥିରେ ଲାଗିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ସହରରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିବାବେଳେ ଏବେ ମରାମତି କରାଯାଉଛି । ସମସ୍ତ ବିଜୁଳି କର୍ମଚାରୀ ଦିନରାତି ଏକ କରି କାମ କରୁଛନ୍ତି । ପାନୀୟ ଜଳ ଯୋଗାଣ ମଧ୍ୟ ଚାଲୁ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ପୁଣି ଥରେ ଘରକୁ ସୁରକ୍ଷିତ ଭାବରେ ଫେରାଇ ନିଆଯାଇଛି ।
କେବଳ ଏତିକି ନୁହେଁ, ଜିଲ୍ଲାର କେଉଁ ବ୍ଲକରେ କେତେ କ୍ଷୟକ୍ଷତି ହୋଇଛି ତାକୁ ସଠିକ ଆକଳନ ପାଇଁ ମଧ୍ୟ ଅଣ୍ଟା ଭିଡିଛି ପ୍ରଶାସନ । ଯଦିଓ କୌଣସି ଜୀବନହାନୀ ହୋଇନାହିଁ, ତେବେ ବ୍ୟାପକ ପରିମାଣରେ ଜିନିଷପତ୍ର କ୍ଷୟକ୍ଷତି ହୋଇଥିବା ଜଣାପଡୁଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ