ବାଲେଶ୍ବର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୫୦ଦିନ ବିତି ଯାଇଥିଲେ ମଧ୍ଯ ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ଉଠି ପାରିନି । ଏହି ମାମଲାର କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଟିମ୍ ସୌମ୍ୟରଞ୍ଜନଙ୍କ ବାସ ଭବନରେ ପହଞ୍ଚିବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ।
୪ଦିନ ପୂର୍ବରୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ୭ଦିନ ମଧ୍ୟରେ ତଦନ୍ତକାରୀ ଟିମ୍ ଡିଏଫଓ, ବିଦ୍ୟାଭାରତୀ ଏବଂ ରୋଷେୟାଙ୍କୁ ଗିରଫ ନକଲେ ନବୀନନିବାସ ସମ୍ମୁଖରେ ତାଙ୍କ ସମେତ ପତ୍ନୀ ତୁଳସୀ ମହାପାତ୍ର ଆତ୍ମାହୁତି ଦେବେ ବୋଲି ଧମକ ଦେଇଥିଲେ । ଏହାକୁ ନେଇ ସୌମ୍ଯଙ୍କ ବାପା ଓ ମାମୁଁ ସିଥିକଣ୍ଠ ପଣ୍ଡା ଭୁବନେଶ୍ୱର ଯାଇ ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିଲେ ।
ତା ସହିତ ବିଜେପି ଓ କଂଗ୍ରେସ ନେତାଙ୍କୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ନିବେଦନ କରିଥିଲେ। ତେବେ କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ୍ ପ୍ରଥମେ ଖଇରା ଥାନାରେ ପହଞ୍ଚିଥିଲେ । ପରେ ଖଇରା ଥାନା କର୍ମଚାରୀଙ୍କ ସମେତ କ୍ରାଇମବ୍ରାଞ୍ଚ ଟିମ୍ ଖଇରା ଥାନା ବେଗୁନିଆ ସ୍ଥିତ ସୌମ୍ଯରଞ୍ଜନଙ୍କ ବାସଭବନରେ ପହଞ୍ଚି ପରିବାର ଏବଂ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଥିଲେ। ଦୀର୍ଘ 4 ଘଣ୍ଟା ଯାଏଁ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ