ହାଇଦ୍ରାବାଦ: ଆପଣ ସ୍ବାସ୍ଥ୍ୟ ବୀମା ସମ୍ପର୍କରେ ଶୁଣିଥିବେ । କେବେ ଚିନ୍ତା କରିଛନ୍ତି କି କାହିଁକି ଏହା ଜରୁରୀ ? ପ୍ରତିବର୍ଷ ସ୍ବାସ୍ଥ୍ୟ ବୀମା ପ୍ରିମିୟମରେ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା କ'ଣ ? ହୁଏତ ଅତୀତରେ ବୀମା ପଲିସିକୁ ନେଇ ଏହିସବୁ ଚିନ୍ତାଧାରା ମନରେ ରହିଥିବ । ମାତ୍ର ଯେବେଠୁ କୋରୋନା ମହାମାରୀ ବିଶ୍ବକୁ ଗ୍ରାସ କରିଛି, ସେବେଠୁ ଲୋକମାନେ ବୀମା କଭରର ଆବଶ୍ୟକତା ଅନୁଭବ କରିଛନ୍ତି । ଏହାମଧ୍ୟ ସେମାନେ ବୁଝିଛନ୍ତି ଯେ, ଯେକୌଣସି ମୂଲ୍ୟ ବଦଳରେ ପରିବାରର ବରିଷ୍ଠ ସଦସ୍ୟ ତଥା ବୃଦ୍ଧ ବାପାମାଆଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ନେବା ନିତାନ୍ତ ଜରୁରୀ । ତେଣୁ ବୀମା ପଲିସି ଯେ ବାପାମାଆଙ୍କ ପାଇଁ ସବୁଠୁ ବଡ ଉପହାର ଏଥିରେ ସନ୍ଦେହ ନାହିଁ ।
ଅସୁସ୍ଥତା ସମୟରେ କଠିନ ଆର୍ଥିକ ସ୍ଥିତିରୁ ଏହି ବୀମା ସୁରକ୍ଷା ଦେଇଥାଏ । ଅନେକ ନିଯୁକ୍ତିଦାତା ନିଜର କର୍ମଚାରୀଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ପଲିସି ସୁବିଧା ପ୍ରଦାନ କରିଥାନ୍ତି । ଏହି ପଲିସି ଯେ କେବଳ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଉପାଦେୟ ତାହା ନୁହେଁ, ଏହା ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ସ୍ବାସ୍ଥ୍ୟ ଜନିତ ଖର୍ଚ୍ଚର ମଧ୍ୟ କଭର କରିଥାଏ । ଅନେକ କମ୍ପାନୀରେ ଏହି ସୁବିଧା ମିଳିନଥାଏ । ସେଥିପାଇଁ ଆପଣ ନିଜ ପିତାମାତାଙ୍କ ସୁରକ୍ଷା ନିମନ୍ତେ ଏହି ପଲିସି ନେବା ଉଚିତ୍ । ସନ୍ତାନଙ୍କ ପାଇଁ ବାପାମାଆ ନିଜର ସାରା ଜୀବନ ଉତ୍ସର୍ଗ କରିଥାନ୍ତି । ତେଣୁ ତାଙ୍କ ତ୍ୟାଗର ଫଳ ଦେବାର ଏହା ହିଁ ପ୍ରକୃଷ୍ଠ ସମୟ । ସେମାନଙ୍କ ଅବସର ପରେ ଯତ୍ନ ନେବା ଆମର ବଡ ଦାୟିତ୍ବ ଅଟେ । ଯଦି ଆର୍ଥିକ ସ୍ଥିରତା ରୁହେ, ତେବେ ଯାଇ ସେମାନେ ଏକ ନିରାପଦ ଜୀବନ ଜିଇଁ ପାରିବେ । ଏହି ଦୃଷ୍ଟିରୁ ବାପାମାଆଙ୍କ ପାଇଁ ବୀମା ପଲିସି କରିବା ଜରୁରୀ ଅଟେ ।
ଭରସାଯୋଗ୍ୟ କମ୍ପାନୀ(Reliable company):
ଆଜିକାଲି ଅନେକ କମ୍ପାନୀ ରହିଛି, ଯାହା ବ୍ୟକ୍ତିଗତ ପଲିସି ଭଳି ସନ୍ତାନ ଏବଂ ବାପାମାଆଙ୍କ ପାଇଁ ସମାନ ସୁବିଧା ବିଶିଷ୍ଟ ପଲିସି ଅଫର କରିଥାନ୍ତି । ଏଥିମଧ୍ୟରୁ ନିଜର ଆବଶ୍ୟକତା ସହ ମେଳ ଖାଉଥିବା ଏକ ପଲିସି କିପରି ପାଇବେ ତାହା ସବୁଠୁ ବଡ ପ୍ରଶ୍ନ । ତେଣୁ ବାପାମାଆଙ୍କ ପାଇଁ ପଲିସି ନେବା ବେଳେ ବୀମା କମ୍ପାନୀ ଦ୍ବାରା ପ୍ରଦତ୍ତ ସେବାଗୁଡିକ ସମ୍ପର୍କରେ ପଚାରି ବୁଝନ୍ତୁ । ସମ୍ପୃକ୍ତ କମ୍ପାନୀର ପ୍ରଦର୍ଶନ ଏବଂ କ୍ଲେମ୍ ପ୍ରଦାନ ପାର୍ଟନ ସମ୍ପର୍କରେ ଭଲ ଭାବେ ଜାଣନ୍ତୁ । ଏଥିପାଇଁ ଆପଣ IRDAI ୱେବସାଇଟର ସହାୟତା ନେଇପାରିବେ ।
ଉପଯୁକ୍ତ ପରିମାଣ(For appropriate amount):
ବୃଦ୍ଧାବସ୍ଥା ସମୟରେ ମଣିଷ ବ୍ୟାଧି ଘେରରେ ରହିଥାଏ । ବଡ ବଡ ବ୍ୟାଧି ବ୍ୟତୀତ ବୃଦ୍ଧ ବାପାମାଆ ମଧୁମେହ ଓ ରକ୍ତଚାପ ଭଳି ରୋଗରେ ପୀଡିତ ହୋଇପାରନ୍ତି । ତେଣୁ ବରିଷ୍ଠ ନାଗରିକଙ୍କ ପାଇଁ ଏକ ପଲିସି ନେବା ବେଳେ ଏହି ଜିନିଷଗୁଡିକୁ ଧ୍ୟାନରେ ରଖିବା ଉଚିତ୍ । କିଛି ବୀମାକାରୀ ଅତିରିକ୍ତ ମୂଲ୍ୟ ଆଧାରିତ ସେବା ପ୍ରଦାନ କରନ୍ତି । ଏହାକୁ ସଠିକ୍ ଭାବେ ଯାଞ୍ଚ କରିବା ଆବଶ୍ୟକ । ସେହିପରି ଗୁରୁତର ଅସୁସ୍ଥତା, ଓପିଡି କଭର ଏବଂ ରୁମ୍ ଭଡା କ୍ଷେତ୍ରରେ ସବ୍ ଲିମିଟ୍ ନଥିବା ପଲିସିକୁ ହିଁ ଚୟନ କରନ୍ତୁ । ନିଜର ବର୍ଦ୍ଧିତ ବ୍ୟୟକୁ ଦୃଷ୍ଟିରେ ରଖି ଉପଯୁକ୍ତ ପରିମାଣ ସହିତ ଏକ ବୀମା ପଲିସି ନିଅନ୍ତୁ ।
ହସ୍ପିଟାଲଗୁଡିକର ତାଲିକା କର(List out hospitals):
ସ୍ବାସ୍ଥ୍ୟ ବୀମା ପଲିସି ନଗଦ ବିହୀନ(cashless) ଚିକିତ୍ସା ପ୍ରଦାନ କରେ । ତେଣୁ ଆପଣ ବ୍ୟବହାର କରୁଥିବା ପଲିସିର ଆପଣଙ୍କ ନିକଟରେ ଥିବା ମେଡିକାଲଗୁଡିକ ସହ ସଠିକ୍ ବୁଝାମଣା ଅଛି କି ନାହିଁ ତାହା ସୁନିଶ୍ଚିତ କରନ୍ତୁ । ଏଥିରେ ଖ୍ୟାତିସମ୍ପନ୍ନ ମେଡିକାଲଗୁଡିକୁ ମଧ୍ୟ ତାଲିକାଭୁକ୍ତ କରନ୍ତୁ । ନଗଦ ବିହୀନ ଚିକିତ୍ସା ଦ୍ବାରା ଆପଣ ଦୁର୍ଗମ ଅଞ୍ଚଳରେ ଥିଲେ ମଧ୍ୟ ବାପାମାଆ ବିନା କୌଣସି ସମସ୍ୟାରେ ସଠିକ୍ ଚିକିତ୍ସା ପାଇପାରିବେ ।
ଠିକ୍ ସମୟରେ ନବୀକରଣ କରାନ୍ତୁ:
କୌଣସି ପ୍ରତିବନ୍ଧକ ବିନା ଆପଣ ସ୍ବାସ୍ଥ୍ୟ ବୀମା କ୍ଲେମ କରିବାକୁ ଚାହୁଁଥିଲେ ବାର୍ଷିକ ବୀମା ପଲିସିର ନବୀକରଣ କରିବା ଆବଶ୍ୟକ । ତାହାହେଲେ କମ୍ପାନୀ କ୍ଲେମ ରାଶି ମଞ୍ଜୁରୀ କରିଥାନ୍ତି । ଅନେକ ସମୟରେ ପଲିସିଧାରକ ପଲିସି ନବୀକରଣ କରିବାରେ ବିଳମ୍ବ କରିଥାନ୍ତି ଅଥବା ଭୁଲି ଯାଇଥାନ୍ତି । ଏହିଭଳି ସମୟରେ ଆପଣ କ୍ଲେମ କଲେ ମଧ୍ୟ କମ୍ପାନୀ ଆପଣଙ୍କୁ କୌଣସି କ୍ଷତିପୂରଣ ପ୍ରଦାନ କରିବ ନାହିଁ । ଅଧିକାଂଶ ଲୋକେ ଏପରି ଜଟିଳ ସ୍ଥିତିର ସମ୍ମୁଖୀନ ହେବା ପରେ ହିଁ ନିଜର ତ୍ରୁଟି ହୃଦୟଙ୍ଗମ କରିଥାନ୍ତି । ଠିକ୍ ସମୟରେ ପଲିସି ନବୀକରଣ ନ ହେଲେ ବୀମା କମ୍ପାନୀ କ୍ଲେମ୍ ଦେବାକୁ ବାଧ୍ୟ ନୁହଁନ୍ତି