ହାଇଦ୍ରାବାଦ: ସାମ୍ପ୍ରତିକ ସମୟରେ ଲୋକେ ଶୀଘ୍ର କର୍ମକ୍ଷେତ୍ରରୁ ଅବସର ନେବାକୁ ଚାହୁଁଛନ୍ତି । କାରଣ ଆଇଟି ସଫ୍ଟୱେୟାର କର୍ମଚାରୀଙ୍କ ଆୟ ବୃଦ୍ଧି ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରିଛି । ଚାକିରି କାଳ ପରେ ସେମାନଙ୍କ ନିକଟରେ ଯଥେଷ୍ଟ ଆୟ ରହୁଥିବାରୁ ଅଧିକାଂଶ ଲୋକେ ଶୀଘ୍ର ଅବସର ନେଉଛନ୍ତି । ଲୋକଙ୍କ ମନରେ ଧାରଣା ଅଛି ଯେ, ୬୦ ବର୍ଷ ପରେ ଅବସର ଜୀବନ ଅଟେ । ଏହି ବୟସରେ ସେମାନେ ପେନସନ ସହ ଏକ ସୁଖପ୍ରଦ ଜୀବନ ଜିଇଁବାକୁ ଚାହାନ୍ତି । କିନ୍ତୁ ବାସ୍ତବରେ ଅବସର ପରେ ନିଜର ସବୁ ଲକ୍ଷ୍ୟ ପୂରଣ କରିପାରିବା ସମ୍ଭବପର କି ? କାନ୍ଧରେ ଚାକିରି କିମ୍ବା ବ୍ୟବସାୟର ଦାୟିତ୍ବ ରହିଥିବା ହେତୁ ଜୀବନକୁ ଉପଭୋଗ କରିବା ଠାରୁ ଦୂରରେ ରହିବାକୁ ପଡେ । ଏହି ଜୀବନକୁ ଉପଭୋଗ କରିବାର ଗୋଟିଏ ବାଟ, କାର୍ଯ୍ୟରୁ ଶୀଘ୍ର ଅବସର ଗ୍ରହଣ କରିବା ।
ଅବସର ନେବାର କୌଣସି ନିର୍ଦ୍ଦିଷ୍ଟ ବୟସ ନଥାଏ, ଯଦି ଭବିଷ୍ୟତ ପାଇଁ ଯଥେଷ୍ଟ ପୁଞ୍ଜି ଅଛି ତାହାହେଲେ ଯେକୌଣସି ବୟସରେ ଅବସର ଗ୍ରହଣ କରିହେବ । ତେଣୁ ବୁଦ୍ଧିମାନେ ଭାବେ ବିନିଯୋଗ କରି ନିଜର ବାକି ଜୀବନକୁ ସୁରକ୍ଷିତ କରନ୍ତୁ । ଏହି କ୍ରମରେ F.I.R.E ଶବ୍ଦ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ‘Financial Independence, Retire Early(ଆର୍ଥିକ ରୂପେ ସ୍ବାଧୀନ ହୁଅନ୍ତୁ, ଶୀଘ୍ର ଅବସର ନିଅନ୍ତୁ) । ଅର୍ଥାତ୍ ଯଦି ଆପଣ କମ୍ ସମୟରେ ଆର୍ଥିକ ସ୍ବାଧୀନତା ହାସଲ କରନ୍ତି, ତାହାହେଲେ ଯେକୌଣସି ସମୟରେ ସ୍ବେଚ୍ଛାକୃତ ଅବସର ନେଇପାରିବେ । ଆର୍ଥିକ ବିନିଯୋଗ ପ୍ଲାନ ଠିକ୍ ରୂପେ କାର୍ଯ୍ୟକାରୀ ହୋଇଥିଲେ, ମାତ୍ର ୪୦ ବର୍ଷ ବୟସରେ ମଧ୍ୟ ଚାକିରିରୁ ଅବସର ନେଇପାରିବେ ।
F.I.R.Eର ମୁଖ୍ୟ ବିଶେଷତ୍ବଗୁଡିକ ହେଉଛି, ନିଜ ଆୟର ୫୦%ରୁ ୭୦% ଯାଏଁ ସଞ୍ଚୟ କରିବା, ଆର୍ଥିକ ଅନୁଶାସନ ସହ ବ୍ୟୟ କରିବା ଏବଂ ବୁଦ୍ଧିମାନ ଭାବେ ବିନିଯୋଗ କରିବା । ପ୍ରଥମେ ଚିନ୍ତା କରନ୍ତୁ, ଅବସର ପରେ ଜୀବନ ଅତିବାହିତ ପାଇଁ କେତେ ଅର୍ଥ ଆବଶ୍ୟକ ? ଦ୍ବିତୀୟତଃ, ଆପଣ କେତେବେଳେ ସେବାନିବୃତ୍ତ ହେବାକୁ ଚାହାନ୍ତି ? ଦ୍ବିତୀୟ ପ୍ରଶ୍ନର ଉତ୍ତର ଅତି ସହଜ । ତେଣୁ ଆପଣ ପ୍ରଥମ ଉପରେ ଫୋକସ କରନ୍ତୁ । ଅବସର ପରେ ଜୀବନ ପାଇଁ କେତେ ଅର୍ଥ ଦରକାର ତାହା ନିର୍ଭର କରେ ଆପଣ ମାସିକ କେତେ ଅର୍ଥ ବ୍ୟୟ କରୁଛନ୍ତି । ଯେପରିକି ପୂର୍ବରୁ କହିଛୁ ଯେ, ଆୟର ର ୫୦%ରୁ ୭୦% ଯାଏଁ ସଞ୍ଚୟ କରିବା ଉଚିତ୍ । କିନ୍ତୁ ଅନେକ କ୍ଷେତ୍ରରେ ଏତେ ଅଧିକ ପରିମାଣର ଆୟ ସଞ୍ଚୟ କରିବା କଷ୍ଟସାଧ୍ୟ ହୋଇଥାଏ । ବିଶେଷକରି, ଘରଭଡା, ଖାଦ୍ୟ, ପିଲାଙ୍କ ଶିକ୍ଷା ପ୍ରମୁଖ କ୍ଷେତ୍ରରେ ବିନିଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଅତି ଜଟିଳ ହୋଇଥାଏ । ସେଥିପାଇଁ ନିଜର ଆୟକୁ ବୃଦ୍ଧି କରିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ । ପାର୍ଟ-ଟାଇମ୍ ଚାକିରି, ଭଲ ଦରମା ପାଇଁ କମ୍ପାନୀ ପରିବର୍ତ୍ତନ କରି ଏହାକୁ ହାସଲ କରାଯାଇପାରିବ ।
ଯଦି ଆପଣ ଅବସର ପରେ ଏକ ସୁଖପ୍ରଦ ଜୀବନ ବିତାଇବାକୁ ଚାହାନ୍ତି ତେବେ, ଅନାବଶ୍ୟକ ଖର୍ଚ୍ଚାନ୍ତରୁ ଦୂରେଇ ରହିବା ମଧ୍ୟ ନିତାନ୍ତ ଜରୁରୀ । ବାହାର ଖାଦ୍ୟ, କ୍ରେଡିଟ କାର୍ଡ ସପିଂ ଜନିତ ବିଭିନ୍ନ ଖର୍ଚ୍ଚ ହ୍ରାସ କରିବା ଦରକାର । F.I.R.E ମୁଖ୍ୟ ଷ୍ଟ୍ରାଟେଜି ହେଉଛି ବୁଦ୍ଧିମାନ ଭାବେ ବିନିଯୋଗ କରିବା । ଅଧିକ ରିଟର୍ଣ୍ଣ ପ୍ରଦାନକାରୀ ଏବଂ ସୁରକ୍ଷିତ ନିବେଶ ବିକଳ୍ପରେ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରିବା ଆବଶ୍ୟକ । ସଞ୍ଚୟ ଖାତା( savings account) ଭଳି ସରଳ ପଦ୍ଧତି ଆପଣାନ୍ତୁ ନାହିଁ । ତାହାହେଲେ ଆପଣ ଶୀଘ୍ର ଅବସର ନେଇ ଏକ ସୁଖପ୍ରଦ ଜୀବନ ଅତିବାହିତ କରିପାରିବେ ।